fbpx

ୟୁଏଇରେ କପ୍ ୨୮ ସମ୍ମିଳନୀ, ଭାରତ କରିବ ସମସ୍ତ ବିକାଶଶୀଳ ଦେଶର ପ୍ରତିନିଧିତ୍ୱ

Advertisement

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ ହେଉଥିବା କପ୍ ୨୮ ସମ୍ମିଳନୀରେ ଯୋଗ ଦେବା ଲାଗି ୟୁଏଇ ଗସ୍ତ କରୁଛନ୍ତି । କପ୍ ୨୮ ସମ୍ମିଳନୀର ଆୟୋଜନ ୨୮ ନଭେମ୍ବରରୁ ୧୨ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ହେଉଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଜଳବାୟୁ ପରିବର୍ତ୍ତନକୁ ନେଇ ଭାରତର ଆଗାମୀ ଯୋଜନା ଉପରେ ମତ ରଖିବେ । ଭାରତ ସମସ୍ତ ବିକାଶଶୀଳ ଦେଶଙ୍କ ପ୍ରତିନିଧି ଭାବରେ ଏ କ୍ଷେତ୍ରରେ ସ୍ୱର ଉଠାଇବ ।
ଏହା ପୂର୍ବରୁ ବ୍ରିଟେନର ଗ୍ଲାସଗୋରେ ଆୟୋଜିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ବର୍ଷ ୨୦୭୦ ସୁଦ୍ଧା କାର୍ବନ ମୁକ୍ତ ଦେଶ କରାଯିବା ନେଇ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କର ୨୦୨୩ରେ ୟୁଏଇରେ ଏହା ଦ୍ୱିତୀୟ ବୈଠକ ହେବ । ଚଳିତ ଥର କପ୍ ୨୮ରେ ଆୟୋଜିତ ବିଭିନ୍ନ ଅଧିବେଶନରେ ୧୬୭ ଦେଶର ସରକାରଙ୍କ ପ୍ରମୁଖ କିମ୍ବା ସେମାନଙ୍କ ପ୍ରତିନିଧି ଯୋଗ ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି କ୍ରମରେ ବିଭିନ୍ନ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ସହିତ ଅଲଗା ଅଲଗା ଦ୍ୱିପାକ୍ଷିକ ବୈଠକରେ ମଧ୍ୟ ଭାଗ ନେବେ । ଏହି ବୈଠକରେ ଫ୍ରାନ୍ସ, ଜର୍ମାନୀ, ଜାପାନ, ସାଉଦି ଆରବ, ବ୍ରାଜିଲର ଶୀର୍ଷ ନେତାମାନେ ମଧ୍ୟ ଭାଗ ନେବେ । ତେବେ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଏହି ବୈଠକରେ ଆଲୋଚନା ହେବାର ସମ୍ଭାବନା ଥିଲା କିନ୍ତୁ ଏବେ କୁହାଯାଉଛି କି ଦୁଇ ପକ୍ଷ ମଧ୍ୟରେ କିଛି ଶାନ୍ତି ସ୍ଥାପିତ ହୋଇଥିବାରୁ ଏହି ପ୍ରସଙ୍ଗ ବୈଠକରେ ଉଠିବ ନାହିଁ ।

ଏଠାରେ ସୂଚାଇ ଦିଆଯାଇପାରେ କି କପ୍ ୨୮ ଏକ ବାର୍ଷିକ ବୈଠକ ଅଟେ । ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଂ ପରି ସମସ୍ୟା ଉପରେ ଚିନ୍ତା ଓ ବିଚାର ବିମର୍ଷ ଲାଗି ଏହା ଏକମାତ୍ର ବହୁପକ୍ଷୀୟ ନିର୍ଣ୍ଣୟ ନେବାର ଏକ ମଞ୍ଚ । ଏହି ସମ୍ମିଳନୀରେ ବିଶ୍ୱରେ ପ୍ରାୟ ସବୁ ଦେଶ ଭାଗ ନେଇଥାନ୍ତି ।

ଭାରତ ଦ୍ରୁତ ଗତିରେ ଆଗକୁ ବଢୁଥିବା ଏକ ବିକାଶଶୀଳ ଦେଶ । ବିଶ୍ୱର ସବୁଠାରୁ ବୃହତ୍ତ ଜନସଂଖ୍ୟା ବିଶିଷ୍ଟ ବିକାଶଶୀଳ ଦେଶ ଭାରତ ଏହି ସମ୍ମିଳନୀରେ ଅନ୍ୟ ବିକାଶଶୀଳ ଦେଶର ପ୍ରମୁଖ ସ୍ୱର ପାଲଟିବ । ଅନ୍ୟପକ୍ଷରେ ଭାରତ ମଧ୍ୟ ଗ୍ରୀନ୍‌ହାଉସ୍ ଗ୍ୟାସର ଶୀର୍ଷ ଉତ୍ସର୍ଜକ ରାଷ୍ଟ୍ର ଅଟେ । ଏପରି କ୍ଷେତ୍ରରେ ସମ୍ମିଳନୀରେ ମହତ୍ତ୍ୱକାଂକ୍ଷୀ ଓ ନ୍ୟାୟସଂଗତ ରହିବା ଭାରତ ପାଇଁ ଉଚିତ ରହିବ । ତେବେ ଏହି ସମ୍ମିଳନୀ ଏପରି ସମୟରେ ହେଉଛି ଯେତେବେଳେ ଏହି ବର୍ଷ ରେକର୍ଡ ସ୍ତରରେ ସବୁଠାରୁ ଗରମ ବର୍ଷ ରହିଛି । କେବଳ ଏତିକି ନୁହେଁ ଜଙ୍ଗଲ ନିଆଁ, ବନ୍ୟା, ମରୁଡି ପରି ପ୍ରାକୃତିକ ବିପର୍ଯ୍ୟୟ ସହିତ ଭୂରାଜନୈତକ ଦୃଷ୍ଟିରୁ ବି ଏହି ବର୍ଷ ବେଶ୍ ଅଶାନ୍ତ ରହିଛି ।

Get real time updates directly on you device, subscribe now.