fbpx

ରାଜଧାନୀରେ ପୁଣି ବଢ଼ୁଛି କରୋନା: ସ୍କୁଲ ବନ୍ଦକୁ ନେଇ ଆଜି ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଲଗାତାର ବଢ଼ୁଥିବା କରୋନା ମାମଲା ଚିନ୍ତା ବଢ଼ାଇବାରେ ଲାଗିଛି । ଏନସିଆର ସମେତ ଗାଜିଆବାଦରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହା ସହ ମୋଟ ପଜିଟିଭ ମାମଲା ୧୩୯କୁ ବୃଦ୍ଧି ପାଇଛି । ଏପ୍ରିଲ ମାସରେ କରୋନାର ୨୨୧ ମାମଲା ସାମ୍ନାକୁ ଆସିଥିଲା ।

ଦିଲ୍ଲୀରେ ମଧ୍ୟ ସଂକ୍ରମଣ ହାରରେ ତିନି ଗୁଣ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି । କରୋନାର ବଢ଼ୁଥିବା ମାମଲା ମଧ୍ୟରେ ବୁଧବାର ଦିନ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) ର ଏକ ବୈଠକ ବସିବ । ଏହି ବୈଠକରେ ବଢ଼ୁଥିବା ସଂକ୍ରମଣ ଉପରେ ଆଲୋଚନା ହେବ । ଏହା ସହିତ ମାସ୍କ ଲଗାଇବା ବାଧ୍ୟତାମୂଳକ ଓ ସ୍କୁଲ ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ।

ତେବେ ଡିଡିଏମଏର ବୈଠକ ଉପ-ରାଜ୍ୟପାଳ ଅନିଲ ବୈଜଲଙ୍କ ଅଧ୍ୟକ୍ଷତାରେ ହେବ । ଏଥିରେ ସିଏମ୍ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ, ସତ୍ୟନ୍ଦ୍ର ଜୈନଙ୍କ ସମେତ ଅନେକ ମନ୍ତ୍ରୀ ଉପସ୍ଥିତ ରହିବେ । ବୈଠକରେ କରୋନାକୁ ନେଇ ଆଗାମୀ ଦିନ ପାଇଁ ଏକ ରଣନୀତି ପ୍ରସ୍ତୁତ ହେବ ।

ଗତକିଛି ଦିନ ହେବ ରାଜଧାନୀରେ ଅନେକ ସ୍କୁଲ ଛାତ୍ର ଓ ଶିକ୍ଷକମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଭଳି ମାମଲା ସାମ୍ନାକୁ ଆସିବା ପରେ ବି ସ୍କୁଲକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବନି ବୋଲି ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଦେଶରେ ଆଜି ୨,୦୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ୬୫.୭ ପ୍ରତିଶତ ବଢ଼ିଛି ସଂକ୍ରମଣ । ୨୪ ଘଣ୍ଟାରେ ୪୦ ଜଣଙ୍କର ଜୀବନ ନେଇଛି କରୋନା ।

Get real time updates directly on you device, subscribe now.