fbpx
BJD
BJD SKY
BJD SKY

ବାୟୁ ପରେ ଏବେ ଜଳରେ ତାଣ୍ଡବ ରଚିପାରେ କରୋନା ଭାଇରସ୍, କ’ଣ ଘଟିବ ଆଗାମୀ ଦିନରେ?

BJD

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହର ଆଶଙ୍କାକୁ ଲକ୍ଷ୍ୟ ରଖି ସରକାର ଓ ଜନସାଧାରଣ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ତେବେ ପୂର୍ବରୁ କରୋନା ସଂକ୍ରମଣ ବାୟୁରେ ବ୍ୟାପେ ବୋଲି ସ୍ପଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ଜଳରେ ବ୍ୟାପୁଥିବା ନେଇ ନୂଆ ତଥ୍ୟ ସାମନାକୁ ଆସିଛି । ଏହାକୁ ନେଇ ସମସ୍ତଙ୍କର ଚିନ୍ତା ବଢ଼ିଯାଇଛି ।

କିଛିଦିନ ପୂର୍ବରୁ ଗୁଜରାଟରେ ପ୍ରବାହିତ ହେଉଥିବା ସାବରବତୀ ନଦୀର ଜଳରେ କରୋନା ଭାଇରସ୍ ଚିହ୍ନଟ ହୋଇଥିଲା । ଭାଇରସ୍ ଚିହ୍ନଟ ପରେ ନଦୀରେ ଶହ ଶହ ମୃତ ମାଛ ଭାସୁଥିବାର ଦେଖାଯାଇଥିଲା । ମାତ୍ର ମାଛମାନେ ମରିବାର କାରଣ ଭାଇରସ୍ ନା ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନଥିଲା । ନଦୀର ବିଭିନ୍ନ ଭାଗରୁ ଜଳ ନମୂନା ସଂଗ୍ରହ କରି ପରୀକ୍ଷା ପରେ ୨୫ ପ୍ରତିଶତ ନମୂନାରେ ଭାଇରସ୍ ରହିଥିବା ଜଣାପଡ଼ିଥିଲା । ଏହି ପରୀକ୍ଷା ଅବସରରେ ଆଇଆଇଟି ଗାନ୍ଧିନଗରର ଜଣେ ପ୍ରଫେସର କହିଛନ୍ତି ଯେ, ପ୍ରାକୃତିକ ଜଳ ଉତ୍ସରୁ ନମୂନା ନେଇ ପରୀକ୍ଷଣ ପରେ ସେଥିରେ କରୋନା ଭାଇରସଙ୍କ ଉପସ୍ଥିତି ବିଷୟରେ ସ୍ପଷ୍ଟ ହୋଇଥିଲା । ତେବେ ପ୍ରାକୃତିକ ଜଳରେ ମଧ୍ୟ ଭାଇରସ୍ ବଞ୍ଚିପାରିବ ବୋଲି କୁହାଯାଇଛି । ନଦୀ ଜଳରୁ ଭାଇରସ୍ ମିଳିବା ଚିନ୍ତାଜନକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହାପୂର୍ବରୁ ଗଙ୍ଗାନଦୀ ସମେତ ଏହାର କିଛି ଶାଖା ନଦୀରୁ ମଧ୍ୟ ଭାଇରସ୍ ଚିହ୍ନଟ କରାଯାଇଥିଲା । ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରବାହିତ ହେଉଥିବା ନଦୀ ଜଳର ନମୂନା ସଂଗ୍ରହ କରି ଏନେଇ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ସେହିପରି ଜଳରେ କରୋନା ବ୍ୟାପିବାର ଆଉ ଏକ କାରଣ ଥାଇପାରେ । ସଂକ୍ରମଣ ସମୟରେ କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର ପାଇଁ ମଶାଣି ଓ କବରସ୍ଥାନର ଅଭାବ ଦେଖାଦେଇଥିଲା । ଫଳରେ ଲୋକମାନେ ସାଧାରଣ ସ୍ଥାନରେ ଶବଦାହ କରିଥିଲେ । ଏପରିକି ଗଙ୍ଗା ଓ ଯମୁନା ନଦୀରେ କୁଢ଼ କୁଢ଼ ଶବ ଭାସୁଥିବାର ଚିତ୍ର ମଧ୍ୟ ସାମନାକୁ ଆସିଥିଲା । ଅନେକ ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ମୃତଦେହ ଉପରେ କପଡ଼ା ଘୋଡ଼ାଇ ନଦୀ ବାଲି ଶଯ୍ୟାରେ ସେଗୁଡ଼ିକୁ ପୋତି ଦିଆଯାଇଥିଲା । ବର୍ଷା ହେବା ପରେ ଧିରେ ଧିରେ ଉକ୍ତ ଶବଗୁଡ଼ିକୁ ନଦୀଶଯ୍ୟାରେ ଭାସିବାକୁ ଲାଗିଥିଲା । ଏହି ଘଟଣାକୁ ନେଇ ବିହାର, ଓ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଅନେକ ଅଭିଯୋଗ ଉଠିଥିଲା । ଜଳରେ କରୋନା ରୋଗୀଙ୍କ ଶବ ଭସାଇବା ମଧ୍ୟ ଭାଇରସ୍ ବୃଦ୍ଧିର ଅନ୍ୟତମ କାରଣ ହୋଇପାରେ ।

ଉପରୋକ୍ତ ଘଟଣାବଳୀକୁ ତର୍ଜମା କଲେ ଜଣାଯାଏ ଯେ, ଯଦି ଜଳରେ ଭାଇରସ୍ ରହିଛି, ତେବେ ଏହା ଯେ ବୃଦ୍ଧି ନ ପାଇବ ତାହା କହିହେବ ନାହିଁ । ସରକାର ଏ ଦିଗରେ ଧ୍ୟାନ ଦେବା ଦରକାର । କାରଣ ଯଦି ବାୟୁରେ ଭାଇରସର ଏତେ ଲହର ସମ୍ଭବ ହୋଇପାରୁଛି, ତେବେ ଜଳରେ ଏହା ବ୍ୟାପିଲେ କ’ଣ ହେବ ବା ନ ହେବ ତାହା ଅନୁମାନ କରିବା ଅସମ୍ଭବ । ଯଦି ଜଳରେ ସଂକ୍ରମଣ ବ୍ୟାପେ, ତେବେ ଆଗକୁ ନିଶ୍ଚିତ ଏକାଧିକ ଲହର ଆସିବ, ତେଣୁ ବେଳ ହୁଁ ସାବଧାନ ହୋଇଯିବା ଭଲ । ଏନେଇ କେବଳ ଭାରତରେ ନୁହେଁ, ବିଶ୍ୱସ୍ତରରେ ମଧ୍ୟ ଗବେଷଣା ହେବା ଦରକାର । ତେଣୁ ବାୟୁ ପରି ଜଳରେ ଭାଇରସ୍ ନିଜର କାରନାମା ଦେଖାଇବା ପୂର୍ବରୁ ବିଶ୍ୱବାସୀ ଏ ନେଇ ସତର୍କ ହୋଇଯିବା ଦରକାର ।

Get real time updates directly on you device, subscribe now.