ଦିଲ୍ଲୀରେ କରୋନା ସଂକ୍ରମଣ ତିବ୍ର ଗତିରେ ବଢି ଚାଲିଛି । ଦେଶରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜଧାନୀରେ ୧୦୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ସଂକ୍ରମିତ ହାର ୫.୭ ହୋଇଯାଇଛି । ଗତକାଲି ୬୩୨ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହି ସମୟରେ ୩୧୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ତେବେ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି, ଯାହା ସବୁଠୁ ଚିନ୍ତାଜନକ ବିଷୟ । ବର୍ତ୍ତମାନ ଦିଲ୍ଲୀରେ ୨୬୪୧ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
ବଢୁଥିବା ମାମଲାକୁ ନଜରରେ ରଖି ପୁଣି ଥରେ ରାଜଧାନୀରେ କଟକଣା ଲାଗିବା ଆରମ୍ଭ ହୋଇଗଲାଣି । ଦିଲ୍ଲୀରେ ଏବେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରିଦିଆଯାଇଛି । ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜୋରିମାନା ଦେବାକୁ ହେବ । ତେବେ ବଢୁଥିବା ସଂକ୍ରମଣ ମଧ୍ୟରେ ସ୍କୁଲ ବନ୍ଦ ହେବ ନାହିଁ ବୋଲି ଡିଡିଏମଏ ବୈଠକରେ ନିଷ୍ପତି ହୋଇଛି । ସ୍କୁଲରେ ମାସ୍କ ପିନ୍ଧିବା ଏବଂ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ବିଶ୍ୱରେ ପୁଣି ଥରେ କରୋନା ବେକାବୁ ହେବାରେ ଲାଗିଲାଣି । ଜର୍ମାନୀ, ଫାନ୍ସ ଏବଂ ଇଟାଲୀରେ କରୋନା ବିସ୍ତାର ଜାରି ରହିଛି । ଜର୍ମାନୀରେ ଗୋଟିଏ ଦିନରେ ୨ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୩୪୮ ଜଣଙ୍କର ମୃତ୍ୟୁ ହୋଇଛି । ଫ୍ରାନ୍ସରେ ମଙ୍ଗଳବାର ୨୫ ହଜାର ୪୬୫ ନୁଆ ସଂକ୍ରମିତ ହୋଇଥିବା ବେଳେ ୧୮୧ ଜଣ ମୃତ୍ୟୁ ବରଣ କରିଛନ୍ତି ।
ସେହିପରି ଇଟାଲୀରେ ୨୭ ହଜାର ୨୧୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଚାଇନାର ସଂଘାଇ ସହରରେ କରୋନା ସଂକ୍ରମଣକୁ ନଜରରେ ରଖି ଲକଡାଉନ୍ କୁ ବଢାଇବାକୁ ନିଷ୍ପତି ନିଆଯାଇଛି । ଏଭଳି ସମୟରେ ଭାରତରେ ଗତ ୨୪ ଘଣ୍ଟାରେ ୬୬ ପ୍ରତିଶତ କରୋନା ସଂକ୍ରମଣ ବୃଦ୍ଧି ପାଇଛି ।