fbpx

କରୋନାର ଡେଲଟା ଷ୍ଟ୍ରେନ୍ ସୃଷ୍ଟି କରୁଛି ବଧିରତା ଏବଂ ଗ୍ୟାଙ୍ଗ୍ରେନ୍ ଭଳି ଅସୁବିଧା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଭାରତରେ ଏହାର ଭୟାବହତା ସୃଷ୍ଟି କରିଛି। ଏହି ଭୂତାଣୁ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। କେବଳ ସେତିକି ନୁହେଁ ଏଥିରୁ ସୁସ୍ଥ ହେଉଥିବା ରୋଗୀଙ୍କ କ୍ଷେତ୍ରରେ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଉଛି । ଡାକ୍ତରମାନେ କ୍ରମାଗତ ଭାବରେ କରୋନାର ଏହି ଡେଲ୍ଟା ଷ୍ଟ୍ରେନର ବିପଦ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି । କରୋନାର ଡେଲ୍ଟା ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ ରୋଗୀମାନଙ୍କ ମଧ୍ୟରେ ବଧିରତା, ପେଟ ଖରାପ ହେବା , ରକ୍ତ ଜମାଟ ବାନ୍ଧିବା, ଗ୍ୟାଙ୍ଗ୍ରେନ୍(ଏକ ସମସ୍ୟା ଯେଉଁଥିରେ ଟିସୁ ଗୁଡିକ ନଷ୍ଟ ହୋଇଯାଏ) ଭଳି ଲକ୍ଷଣ ଦେଖାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଲକ୍ଷଣ ରୋଗୀମାନଙ୍କଠାରେ ମିଳୁ ନଥିଲା। ଡେଲଟା ଷ୍ଟ୍ରେନ୍ ବି.୧.୬୧୭.୨ ଭାବରେ ମଧ୍ୟ ଜଣାଶୁଣା । ଏହି ଷ୍ଟ୍ରେନ ଅନ୍ୟ ଭ୍ୟାରିଏଣ୍ଟ ଅପେକ୍ଷା ଶୀଘ୍ର ବ୍ୟାପିଥାଏ । ଏପର୍ଯ୍ୟନ୍ତ ଡେଲଟା ଷ୍ଟ୍ରେନ୍ ୬୦ ରୁ ଅଧିକ ଦେଶରେ ବ୍ୟାପିଛି।

ଇଂଲଣ୍ଡ ଏବଂ ସ୍କଟଲ୍ୟାଣ୍ଡରେ ଦେଖାଯାଇଥିବା ଏହି ଷ୍ଟ୍ରେନର ଆକଳନରୁ ଜଣାପଡିଛି ଯେ ଏହି ଷ୍ଟ୍ରେନ୍ ଦ୍ୱାରା ପ୍ରଭାବିତ ବ୍ୟକ୍ତିମାନେ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ଅଧିକ ଥାଏ। କରୋନାର ପ୍ରଥମ ତରଙ୍ଗରେ ଲୋକଙ୍କ ମଧ୍ୟରେ ଡାଇରିଆର ଅଧିକ ଅଭିଯୋଗ ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ଏହି ଭୂତାଣୁରେ ଅନେକ ନୂତନ ଲକ୍ଷଣ ମଧ୍ୟ ଦେଖାଯାଉଛି, ଯାହା ଚିହ୍ନଟ କରିବା କଷ୍ଟକର । ଅନେକ କରୋନା ରୋଗୀଙ୍କ ପେଟରେ ଯନ୍ତ୍ରଣା, ବାନ୍ତି, ଭୋକ କମିବା, ଶ୍ରବଣ ଶକ୍ତି ହରାଇବା ଭଳି ଲକ୍ଷଣ ଦେଖାଉଛନ୍ତି । ଏଥିସହିତ ଅନେକ ରୋଗୀ ଗଣ୍ଠିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରୁଛନ୍ତି।

ନ୍ୟୁ ସାଉଥ ୱେଲ୍ସ ବିଶ୍ୱବିଦ୍ୟାଳୟରେ ସମ୍ପ୍ରତି କରାଯାଇଥିବା ଏକ ଅନୁସନ୍ଧାନରେ କୁହାଯାଇଛି ଯେ ବିଟା ଏବଂ ଗାମା ଭ୍ୟାରିଏଣ୍ଟରେ ଏହି ଲକ୍ଷଣ ବହୁତ କମ୍ ଅଟେ।
ଡାକ୍ତରମାନେ କହିଛନ୍ତି ଯେ ନୂତନ ଡେଲ୍ଟା ଷ୍ଟ୍ରେନ୍ ରୋଗୀଙ୍କଠାରେ ମାଇକ୍ରୋଥ୍ରୋମ୍ବୀ କିମ୍ବା ରକ୍ତ ଜମାଟ ବାନ୍ଧିବା ଦେଖାଯାଉଛି । ଏଗୁଡିକ ଏତେ ଭୟଙ୍କର ଯେ ଏଥିରେ ପ୍ରଭାବିତ ଟିସୁ ନଷ୍ଟ ହୋଇଯାଉଛି ଏବଂ ଗ୍ୟାଙ୍ଗ୍ରିନ ସୃଷ୍ଟି କରୁଛି । ଗତ କିଛି ଦିନ ମଧ୍ୟରେ ଏହିପରି ଅନେକ ରୋଗୀ ସାମ୍ନାକୁ ଆସିଛନ୍ତି ଯେଉଁଥିରେ ଏହି ସମସ୍ୟା ଦେଖାଯାଉଛି।

ଏହି ଡେଲଟା ଭ୍ୟାରିଏଣ୍ଟ ଭାରତରରେ ଦ୍ୱିତୀୟ ଲହର ପାଇଁ ଦାୟୀ । ଏହି ନୂତନ ଷ୍ଟ୍ରେନରେ ରୋଗୀମାନଙ୍କଠାରେ ଅଲଗା ଅଲଗା ଲକ୍ଷଣ ଦେଖାଯାଉଛି । ଏଥିରେ ସବୁ ବୟସର ଲୋକଙ୍କଠାରେ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖାଯାଉଛି। କେତେକ ରୋଗୀ ବଧିରତା, ବେକ ଫୁଲିଯିବା ଏବଂ ଭୟଙ୍କର ଟନସିଲିଟିସ୍ ରେ ପିଡୀତ ହେବା ଦେଖାଯାଉଛି । ଏହି ଷ୍ଟ୍ରେନ୍ ବିଷୟରେ ସବୁଠାରୁ ବିପଜ୍ଜନକ ବିଷୟ ହେଉଛି ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ପିଲାମାନେ ମଧ୍ୟ ଏଥିରେ ସଂକ୍ରମିତ ହେଉଛନ୍ତି । ବର୍ତ୍ତମାନ ଭାରତରେ ଏହାର ଷ୍ଟ୍ରେନର ଗତି ଧୀର ରହିଛି । କିନ୍ତୁ ବର୍ତ୍ତମାନ ଏହି ଷ୍ଟ୍ରେନ୍ ତାଇୱାନ, ସିଙ୍ଗାପୁର ଏବଂ ଭିଏତନାମ ଭଳି ଦେଶରେ ହଇଚଇ ସୃଷ୍ଟି କରୁଛି।

Get real time updates directly on you device, subscribe now.