fbpx
BJD
BJD SKY
BJD SKY

ଦେଶ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଉଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଦେଶର ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କ ସମ୍ବୋଧନ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ କହିଛନ୍ତି ‘ଏହା ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଓ ଶୁଭ ଅବସର । ସାଂପ୍ରତିକ ପରିବେଶରୁ ଏହି ଉତ୍ସବ ପାଳନର ଖୁସି ଓ ଆଗ୍ରହ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ । ଆମ ଗାଁରୁ ସହର ଯାଏ, ପିଲାଙ୍କଠାରୁ ଆରମ୍ଭ କରି ଯୁବବର୍ଗ ଓ ନାଗରିକମାନେ, ସମସ୍ତେ ଯେଉଁ ଆନନ୍ଦ, ଉତ୍ସାହ ଓ ଆଗ୍ରହର ସହିତ ଆମ ସ୍ୱାଧୀନତା ଉତ୍ସବକୁ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି ତାହା ଅତ୍ୟନ୍ତ ଚିତ୍ତାକର୍ଷକ । ତାହା ଦେଖିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଦେଶବାସୀ ଆଜାଦୀ କା ଅମୃତ ମହୋତ୍ସବକୁ ବେଶ୍ ଧୂମଧାମରେ ପାଳନ କରୁଛନ୍ତି’।

ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମୁଁ ଆମର ସେହି ଜ୍ଞାତ ଓ ଅଜ୍ଞାତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଦେଶବାସୀଙ୍କ ସହିତ ମୋର ଶ୍ରଦ୍ଧା ଓ ସମ୍ମାନ ଅର୍ପଣ କରୁଛି । ସେମାନଙ୍କ ଯୋଗୁଁ ଭାରତ ବିଶ୍ୱ ଦରବାରରେ ଉପଯୁକ୍ତ ସ୍ଥାନ ପାଇବାର ଆଜି ସମର୍ଥ ହୋଇଛି । ମାତଙ୍ଗନୀ ହାଜରା ଓ କନକଲତା ବରୁଆଙ୍କ ଭଳି ମହାନ୍ ମହିଳା ମୁକ୍ତି ସଂଗ୍ରାମୀମାନେ ଭାରତ ମାତାଙ୍କ ପାଇଁ ନିଜର ପ୍ରାଣବଳୀ ଦେଇଥିଲେ । ମା’ କସ୍ତୁରବା ଜାତିର ପିତାଙ୍କ ସହ ତାଳ ମିଳାଇ ସତ୍ୟାଗ୍ରହର ବନ୍ଧୁର ପଥରେ ଆଗକୁ ବଢିଥିଲେ । ସରୋଜିନୀ ନାଇଡୁ, ଅମ୍ମୁ ସ୍ୱାମୀନାଥନ, ରମାଦେବୀ, ଅରୁଣା ଆସଫ ଅଲ୍ଲୀ ଓ ସୁଚେତା କୃପାଳିନୀଙ୍କ ଭଳି ଅନେକ ମହାନ୍ ମହିଳା ଭବିଷ୍ୟତର ମହିଳା ପିଢିଙ୍କ ପାଇଁ ସେବା, ତ୍ୟାଗ ଓ ଦେଶଭକ୍ତିର ଉଚ୍ଚ ପ୍ରେରଣାଦାୟୀ ଆଦର୍ଶ ଛାଡିଗଲେ । ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଆତ୍ମବିଶ୍ୱାସର ସହିତ ଦେଶର ମହିଳମାନେ ରାଷ୍ଟ୍ର ଓ ସମାଜ ପାଇଁ କାମ କରିପାରିବେ । ଆଜି ଆମ ଦେଶର ମହିଳାମାନେ ବିକାଶର ପ୍ରତ୍ୟେକ କ୍ଷେତ୍ରରେ ବିପୁଳ ଅବଦାନ ଯୋଗାଉଛନ୍ତି। ସେମାନଙ୍କ ସେବା ଓ ଅବଦାନ ଫଳରେ ଦେଶର ଗରିମା ବୃଦ୍ଧି ପାଉଛି । ଅଳ୍ପ କେଇ ଦଶକ ତଳେ ଯେଉଁସବୁ କ୍ଷେତ୍ରରେ ମହିଳାମାନଙ୍କର ପ୍ରବେଶ କଳ୍ପନାତୀତ ଥିଲା ଏବେ ସେଠାରେ ନାରୀମାନେ ଚମତ୍କାର ସଫଳତା ହାସଲ କରୁଛନ୍ତି ।

ମୁଁ ଆନନ୍ଦର ସହ କହୁଛି ଯେ ଆମ ଦେଶରେ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣକୁ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରାଯାଉଛି । ଆର୍ଥିକ ସଶକ୍ତିକରଣ ପରିବାର ଓ ସମାଜରେ ମହିଳାମାନଙ୍କ ସ୍ଥିତି ସୁଦୃଢ କରେ । ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେବାକୁ ମୁଁ ସବୁ ନାଗରିକଙ୍କୁ ଆହ୍ୱାନ ଜଣାଉଛି । ଆମ କନ୍ୟା ଓ ଭଗିନୀମାନେ ସାହାସର ସହିତ ସବୁ ଆହ୍ୱାନ ଓ ପ୍ରତିବନ୍ଧକର ମୁକାବିଲା କରି ଆଗକୁ ବଢନ୍ତୁ ଓ ଜୀବନର ଉନ୍ନତି କରନ୍ତୁ ଏହା ମୁଁ ଚାହେଁ । ମହିଳାଙ୍କ ବିକାଶ ଆମ ମୁକ୍ତି ସଂଗ୍ରାମର ଅନ୍ୟତମ ଆଦର୍ଶ ଥିଲା ।

Get real time updates directly on you device, subscribe now.