fbpx

“ଆପଣ ଗୋପାଳ ପାଣ୍ଡେ କହୁଛନ୍ତି?”- କଟା ଘା’ରେ ଚୂନା ଦେଲା କୋଭିଡ୍ କଣ୍ଟ୍ରୋଲ୍ ରୁମ୍

ଭୁବନେଶ୍ୱର, ୭ା୫ (ଓଡିଶା ଭାସ୍କର): “ଆପଣ ଗୋପାଳ ପାଣ୍ଡେ କହୁଛନ୍ତି- ହଁ କହୁଛି । ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ପାଇଁ ମୁଁ କୋଭିଡ୍ କଣ୍ଟ୍ରୋଲ ରୁମରୁ କହୁଛି । ଆପଣ ଆସସୋଲେସନରେ ଅଛନ୍ତି ନା ନାହିଁ- ହିଁ । ଆପଣଙ୍କର ଜ୍ୱର, ସର୍ଦ୍ଦି କାଶ ଅଛି କି- ନାହିଁ । ଆପଣଙ୍କର ମୁଣ୍ଡ, ଦେହ, ହାତ ବ୍ୟଥା ହେଉଛି- ନାହିଁ । ପତଳା ଝାଡ଼ା ହେଉଛି କି-ନାହିଁ । ଦିନକୁ ଦୁଇଥର ଆପଣଙ୍କ ହାନୀଲାଭ ବିଷୟରେ ଆମେ ଦିନକୁ ଦୁଇଥର ପଚାରି ବୁଝିବୁ । ଆପଣଙ୍କର କିଛି ଅସୁବିଧା ଅଛି କି-ହଁ । କୁହନ୍ତୁ- ମୁଁ ଏପ୍ରିଲ ୨୭ରେ ଆଡମିଟ୍ ହୋଇଥିଲି, ତା’ପରଦିନ ସନ୍ଧ୍ୟାରେ ମୋର ଡେଥ୍ ହୋଇଗଲା । ମୁଁ ଆତ୍ମା କହୁଛି ।” ଏହା ହେଉଛି କୋଭିଡ୍ କଣ୍ଟ୍ରୋଲ ରୁମର ଜଣେ ମହିଳା ଓ ମୃତକଙ୍କ ପରିବାରବର୍ଗଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ । ‘ମୁଁ ଆତ୍ମା କହୁଛି’ – ଶୁଣିବା ପରେ ମହିଳା ଜଣକ ଏଁ କହି ଚୁପ୍ ରହିଯାଇଥିଲେ ।
ସୂଚନା ଅନୁଯାୟୀ, କରୋନାରେ ସଂକ୍ରମିତ ହେବା ପରେ ବରିକେଲର ଗୋପାଳ ପାଣ୍ଡେ ଗତ ମାସ ୨୭ ତାରିଖରେ ବରଗଡ଼ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତା’ର ପରଦିନ ଗୋପାଳଙ୍କ ମୃତ୍ୟୁ ଘଟିଥିଲା । ସ୍ୱାସ୍ଥ୍ୟ ବିଭାଗ ପାଖରେ ଏନେଇ କୌଣସି ସୂଚନା ନାହିଁ । ତେଣୁ ଗୋପାଳଙ୍କ ରେଜିଷ୍ଟ୍ରେସନ ନମ୍ବରକୁ କଣ୍ଟ୍ରୋଲ ରୁମରୁ ୪ ଦିନ ଧରି ବାରମ୍ବାର ଫୋନ ଆସିଥିଲା । ଫଳରେ ଗୋପାଳଙ୍କ ଶୋକଗ୍ରସ୍ତ ପରିବାରବର୍ଗ ଧୈର୍ଯ୍ୟହରା ହୋଇଯାଇଥିଲେ । ଗୋପାଳଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ବର୍ଗ ବାରମ୍ବାର କହିବା ପରେ ମଧ୍ୟ ବାରମ୍ବାର ଫୋନ ଆସିଥିଲା । କୋଭିଡ୍ ହସ୍ପିଟାଲର ଏପରି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.