fbpx

କରୋନା ସଂକ୍ରମିତ ଶବଠୁ ଲୁଟ୍‌ : ସୁନାଚେନ ଓ ମୋବାଇଲ ଫୋନ ଜବତ, କୋଭିଡ ହସ୍ପିଟାଲ କର୍ମଚାରୀଙ୍କ ସମେତ ୩ ଗିରଫ

କେନ୍ଦୁଝର (ଓଡ଼ିଶା ଭାସ୍କର): କେନ୍ଦୁଝର କୋଭିଡ ଡାକ୍ତରଖାନାର ଅବ୍ୟବସ୍ଥା ବାବଦରେ ବିଗତ ଦିନରେ ଅନେକ ଥର ଖବର ପ୍ରକାଶ ପାଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ଏବଂ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନଥିଲା। ଚିକିତ୍ସା ଅବହେଳାରୁ ଅନେକ ଜୀବନ ଅକାରଣରେ ଚାଲିଯାଉଥିବା ବେଳେ କିଛି ଦିନ ତଳେ ମୃତ ବ୍ୟକ୍ତି ମାନଙ୍କ ମୋବାଇଲ୍‌, ଗହଣା, ଟଙ୍କା, ହାତଘଣ୍ଟା ଆଦି ଅନେକ ବ୍ୟବହୃତ ଜିନିଷପତ୍ର ଲୁଟ୍‌ ହେଉଥିବା ଅଭିଯୋଗ ହେଉଥିଲା। ଆତ୍ମୀୟଜନଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡୁଥିବା ସାଧାରଣ ଲୋକେ ଏହା ପ୍ରତି ଗୁରୁତ୍ୱ ଦେଉନଥିବା ବେଳେ ଲୁଟ୍‌ କରୁଥିବା କର୍ମଚାରୀଙ୍କ ମନବଳ ଦିନକୁ ଦିନ ବଢି ଚାଲିଥିଲା । ଅଭିଯୋଗ କଲେ ଡାକ୍ତରଖାନା ପରିଚାଳନା ଦାୟିତ୍ୱରେ ଥିବା ଉତ୍କଳ ହସ୍ପିଟାଲ ପକ୍ଷରୁ ବାରମ୍ବାର ଏହାକୁ ଖଣ୍ଡନ କରାଯାଉଥିଲା । ହେଲେ ସମାନ ଅଭିଯୋଗରେ ଟାଉନ ଥାନା ପୋଲିସ ୩ଜଣଙ୍କୁ ଗିରଫ କରିବା ପରେ ଉତ୍କଳ ହସ୍ପିଟାଲର ମୁଖା ଖୋଲିଯାଇଛି ।

ପ୍ରାପ୍ତ ସୂଚନା ଅନୁଯାଇ, କେନ୍ଦୁଝର ସଦର ବ୍ଲକ ପର୍ଜନପୁର ପଞ୍ଝାୟତର ପଦ୍ମାବତୀ ମାଝୀଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ମାଝୀ (୩୮)ଙ୍କ ଗତ ୧୮ ତାରିଖରେ ରାଙ୍କି ସ୍ଥିତ କୋଭିଡ୍‌ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । କୃଷ୍ଣଚନ୍ଦ୍ର ମାଝୀ ହସ୍ପିଟାଲରେ ଭର୍ତି ହେବା ସମୟରେ ପାଖରେ ଏକ ମୋବାଇଲ ରଖିବା ସହ ସୁନା ଚେନ ପିନ୍ଧିଥିଲେ ସାଙ୍ଗରେ ୧୦ ହଜାର ଟଙ୍କା ମଧ୍ୟ ନେଇଥିଲେ । ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ ତାଙ୍କ ଶବକୁ ଧାଙ୍ଗରପଡା ସ୍ଥିତ ଶ୍ମଶାନରେ ଦାହ କରାଯାଇଥିଲା । ହେଲେ ତାଙ୍କ ଜିନିଷପତ୍ର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇ ନଥିଲା । କ୍ରିୟାକର୍ମ ପରେ ପରିବାର ବର୍ଗ ବାରମ୍ବାର ଡାକ୍ତରଖାନାକୁ ଯାଇ ଜିନିଷପତ୍ର ମାଗିଥିଲେ ମଧ୍ୟ ତାଙ୍କ
କଥାକୁ କେହି ଶୁଣି ନଥିବା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ମାନେ ସେମାନଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିବା ପରିବାର ଲୋକେ ଅଭିଯୋଗ
କରିବା ସହ ସ୍ୱର୍ଗତ ମାଝୀଙ୍କ ପୁତୁରା ଲକ୍ଷ୍ମୀଧର ମାଝୀ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ
ଆରମ୍ଭ କରିଥିଲା । ଲୁଟେରାଙ୍କୁ ଧରିବା ପାଇଁ ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ ଏକ ଟିମ ଗଠନ କରିଥିଲେ ।

ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଯେ, କୋଭିଡ ଡାକ୍ତରଖାନାର ହାଉସକିିଙ୍ଗ ବଏ ରାହୁଲ ପ୍ରଧାନ (୨୧) ଅନ୍ୟଜଣେ କର୍ମଚାରୀଙ୍କ ସହ ମିଶି
ମୃତକଙ୍କ ବେକରୁ ସୁନାଚେନ ଓ ମୋବାଇଲ ଫୋନ ଲୁଟ୍‌ କରିଥିଲେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱରର ରାହୁଲଙ୍କ ସମେତ ତାଙ୍କଠାରୁ ସାମଗ୍ରୀ କିଣିଥିବା ଜଗନ୍ନାଥ ବାରିକ(୨୯) ଏବଂ ଜିମିନ୍ଦ୍ର ଦିଗଲ (୨୮) କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ଚୋରି ମୋବାଇଲ ଫୋନ ଜବତ ହେବା ସହ ଅନ୍ୟ
ମୃତକଙ୍କ ଠାରୁ ଲୁଟ୍‌ ହୋଇଥିବା ବିଭିନ୍ନ ସାମଗ୍ରୀ ଉଦ୍ଧାର ପାଇଁ ପୋଲିସ ତନାଘନା ଚଳାଇଛି ।

ଏନେଇ ଟାଉନ ଥାନାରେ କେଶ ନମ୍ବର ୨୦୯/ ୨୦୨୧ ଦଫା ୩୮୦, ୪୧୧, ୩୪ ଆଇପିସିରେ ମାମଲା ରୁଜୁ ହୋଇଛିା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.