fbpx

ଏକ ସପ୍ତାହରେ ଦେଶରେ ଦୁଇଗୁଣା ହେଲା କରୋନା ରୋଗୀ ସଂଖ୍ୟା, ୧୨ଟି ରାଜ୍ୟରେ ଲଗାତାର ବଢ଼ିବାରେ ଲାଗିଛି କୋଭିଡ୍ ସଂକ୍ରମଣ

Advertisement

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନାର ଲହର ଆରମ୍ଭ ହୋଇଗଲାଣି । ଭାରତରେ ଏକ ସପ୍ତାହରେ ଦୁଇଗୁଣ ରୋଗୀଙ୍କର ଚିହ୍ନଟ ହୋଇଛନ୍ତି । ଦେଶର ୧୨ଟି ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଏଥିରେ ସାମିଲ ହୋଇଛି । ଦେଶରେ ବର୍ତ୍ତମାନ ସଂକ୍ରମଣ ହାର ୦.୮୪ ପ୍ରତିଶତ ରହିଥିବା ବେଳେ ଆକ୍ଟିଭ୍ କେସ୍ ୧୬ ହଜାର ୫୨୨ରେ ପହଞ୍ଚି ଯାଇଛି ।

ଦେଶରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇବା ପରେ ଜନସାଧାରଣ କୋଭିଡ୍ ନିୟମକୁ ଏକପ୍ରକାର ଭୁଲି ଯାଇଥିଲେ । ତେବେ ପୁଣି ଥରେ କରୋନାର ଲେଉଟାଣି ଆରମ୍ଭ ହୋଇଯାଇଥିବା ବେଳେ ଲୋକମାନେ ଏଥିପାଇଁ ସଚେତନ ହେବା ଜରୁରୀ । ଗତ ୧୮ ତାରିଖରୁ ୨୪ ତାରିଖ ମଧ୍ୟରେ ଦେଶରେ ୧୫ ହଜାର ୭୦୦ଟି ନୂଆ କେସ୍ ସାମ୍ନାକୁ ଆସିଛି । ଏହା ପୂର୍ବରୁ ସପ୍ତାହକ ମଧ୍ୟରେ ୮ ହଜାର ୫୦ଟି କେସ୍ ଆସିଥିଲା । ବର୍ତ୍ତମାନ ୯୫ ପ୍ରତିଶତ ସଂକ୍ରମଣ ବୃଦ୍ଧି ଦେଶବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହାପୂର୍ବରୁ ୧୧ ସପ୍ତାହ ଧରି କୋଭିଡ୍ ସଂକ୍ରମଣରେ ନିମ୍ନମୁଖୀ ଦେଖିବାକୁ ମିଳିଥିଲା ।

ତେବେ ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ହେବା ପଛର କାରଣ ଓମିକ୍ରନର ସବଭାରିଆଣ୍ଟ କି ଇମ୍ୟୁନିଟିରେ ହ୍ରାସ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ମୃତ୍ୟୁ ସଂଖ୍ୟାରେ ଅନୁରୂପ ବୃଦ୍ଧି ପାଉନଥିବା ଏକ ଆଶ୍ୱସ୍ତିକର ଖବର । ବର୍ତ୍ତମାନ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶରେ କରୋନା ଡରାଇବାରେ ଲାଗିଛି । ଗତ ସପ୍ତାହରେ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ରାଜସ୍ଥାନ, ତେଲେଙ୍ଗାନା, ପଞ୍ଜାବ, ମିଜୋରାମ ଓ ତାମିଲନାଡ଼ୁ ଆଦି ୯ଟି ରାଜ୍ୟରେ ଚତୁର୍ଥ ଲହରର ଆଶଙ୍କା ସୃଷ୍ଟି କରିଥିଲା । ମହାରାଷ୍ଟ୍ରରେ ୪୮ ପ୍ରତିଶତ, କଣ୍ଣାଟକରେ ୭୧ ପ୍ରତିଶତ, ତାମିଲନାଡ଼ୁରେ ୬୨ ପ୍ରତିଶତ, ବଙ୍ଗରେ ୬୬ ପ୍ରତିଶତ, ତେଲେଙ୍ଗାନାରେ ୨୪ ପ୍ରତିଶତ ଓ ରାଜସ୍ଥାନରେ ୫୭ ପ୍ରତିଶତ ସଂକ୍ରମଣ ବୃଦ୍ଧି ଦେଖିବାକୁ ମିଳିଛି ।

Get real time updates directly on you device, subscribe now.