fbpx

ଅକ୍ଟୋବରରେ ପିକ୍ ଛୁଇଁପାରେ ତୃତୀୟ ଲହର ! ଶିଶୁ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ

ପିଏମ୍‌ଓକୁ ସତର୍କ କରାଇଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆସନ୍ତା ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର । ବଢିପାରେ ଦୈନିକ କରୋନା ସଂକ୍ରମଣ ମାମଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ଏନେଇ ସତର୍କ କରାଇଛି ଗୃହ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ଦ୍ୱାରା ଗଠିତ ପ୍ୟାନେଲ୍‌ । ଏମ୍‌ଏଚ୍‌ଏ ଅଧିନରେ ଥିବା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ (ଏନ୍‌ଆଇଡିଏମ୍‌)ର ପ୍ୟାନେଲ୍‌ ଏହି ରିପୋର୍ଟ ଦେଇଛି ।

ରିପୋର୍ଟ ଅନୁସାରେ ଅକ୍ଟୋବରରେ କରୋନାର ତୃତୀୟ ଲହର ପିକ୍‌ ଛୁଇଁପାରେ । ମୁଖ୍ୟତଃ ଶିଶୁମାନେ ବିଶେଷ ଭାବେ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଏଥିପାଇଁ ଉନ୍ନତ ଚିକିତ୍ସା ସୁବିଧା ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ଯଦି ଅଧିକ ସଂଖ୍ୟାରେ ଶିଶୁମାନେ ଆକ୍ରାନ୍ତ ହୁଅନ୍ତି ତେବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଡାକ୍ତର, ଅଧିକ ସ୍ୱାସ୍ଥ୍ୟକର୍ମୀ, ଭେଣ୍ଟିଲେଟର, ଆମ୍ବୁଲାନ୍ସ ପରି ଉପକରଣ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏହା ସହ ଅଗ୍ରାଧିକାର ଭିତ୍ତିରେ ଛୋଟ ଶିଶୁମାନଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ଏକାଧିକ ରୋଗରେ ପୀଡିତ ଥିବା ଲୋକଙ୍କ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ରିପୋର୍ଟରେ ଦର୍ଶାଯାଇଛି ।

କରୋନାର ଗୋଟିଏ ପରେ ଗୋଟିଏ ଲହର ଆସୁଥିବା ବେଳେ ଏପର୍ଯ୍ୟନ୍ତ ହାର୍ଡ ଇମ୍ୟୁନିଟି ସୃଷ୍ଟି ହୋଇପାରିନି । କୁହାଯାଉଛି ସମୂହ ଟିକାକରଣରେ ଲୋକଙ୍କ ଶରୀରରେ ହର୍ଡ ଇମ୍ୟୁନିଟି ତିଆରୀ ହେଲେ କରୋନାକୁ ମାତ ଦେବା ସମ୍ଭବ ହେବ । ଏଥିପା।ଇଁ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ବିଶେଷଜ୍ଞମାନେ କହୁଥିଲେ ୬୦ରୁ ୬୫% ଟିକାକରଣ ହୋଇପାରିଲେ ହର୍ଡ ଇମ୍ୟୁନିଟି ବା ସମୂହ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହେବ । କିନ୍ତୁ କରୋନା ଭୂତାଣୁର ନୂଆ ନୂଆ ଭାରିଏଣ୍ଟ ସାମ୍ନାକୁ ଆସୁଥିବାରୁ ଏବେ ଏହି ଆକଳନକୁ ପରିବର୍ତ୍ତନ କରାଯାଇଛି ।

ଏନ୍‌ଆଇଡିଏମ୍‌ର ରିପୋର୍ଟ ଅନୁସାରେ ୮୦ରୁ ୯୦% ଟିକାକରଣ ପରେ ଦେଶରେ ହର୍ଡ ଇମ୍ୟୁନିଟି ସୃଷ୍ଟି ହେବ । ଅନ୍ୟପଟେ ତୃତୀୟ ଲହର ଆସିଲେ, ଓଡ଼ିଶାରେ ଦୈନିକ ୧୪ ହଜାର ସଂକ୍ରମିତ ଚିହ୍ନଟ ହେବେ । ଯଦି ତୃତୀୟ ଲହର ଆସେ, ଏଥିରେ ପିଲାମାନେ ଅଧିକ ପ୍ରଭାବିତ ହେବେ ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବିଶେଷଜ୍ଞଙ୍କ ମତରେ ସେପ୍ଟେମ୍ବର କି ଅକ୍ଟୋବରରେ ତୃତୀୟ ଲହର ଆସିବ ଓ ପିକ୍‌ ନେବ । ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ଛୁଇଁ ପାରେ । ଯଦି ସେମିତି ହୁଏ ଓଡ଼ିଶାରେ ଦୈନିକ ୧୪ ହଜାର ସଂକ୍ରମିତ ଚିହ୍ନଟ ହେବେ । ତେଣୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ।ତୃତୀୟ ଲହର ପାଇଁ ଯାହା ଆବଶ୍ୟକ ରହିଛି, ସେ ତୁଳନାରେ ଆମେ ଅଧିକ ପ୍ରସ୍ତୁତ ରହିଛୁ । ପିଲାମାନଙ୍କ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ।

ସେହିପରି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ସମସ୍ତଙ୍କ ଆକଳନ ଅନୁଯାୟୀ ସେପ୍ଟେମ୍ବରରେ ତୃତୀୟ ଲହର ଆସିବ । ସେପ୍ଟେମ୍ବରରେ ତୃତୀୟ ଲହର ଆରମ୍ଭ ହେଲେ ଏହା ଅକ୍ଟୋବରରେ ପିକ୍‌ ନେବ । ପିକ୍‌ ପିରିଅଡରେ୧୦୦ ଶିଶୁରେ ୨୩ ଜଣଙ୍କୁ ହସ୍ପିଟାଲର ଭର୍ତ୍ତି କରିବାକୁ ପଡିବ ବୋଲି ଆକଳନ କରାଯାଇଛି । ମାତ୍ର ବର୍ତ୍ତମାନ ଆମର ହସ୍ପିଟାଲାଇଜେସନ ଅଧିକ ନାହିଁ । ଏବେ ୧୨ ରୁ ୧୩ ପ୍ରତିଶତ ରହିଛି ଶିଶୁ ସଂକ୍ରମଣ ହାର । ଦ୍ୱିତୀୟ ଲହର ୬୪ ଦିନରେ ପିକ ନେଇଥିଲା । ଯଦି ତୃତୀୟ ଲହର ଆସୁଛି ତାହାର ପିକ ପିରିୟଡ଼ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ମାତ୍ର ଆମେ ଏବେ ବି ଦ୍ୱିତୀୟ ଲହରରେ ଜାରି ରହିଛି । ଶିଶୁମାନଙ୍କ ପାଇଁ ଆମେ ସବୁ ବ୍ୟବସ୍ଥା କରିଛୁ । ସବୁ କୋଭିଡ ହସ୍ପିଟାଲରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରାବଧାନ କରିବୁ । ଶିଶୁଭବନରେ ସେଣ୍ଟ୍ରାଲ ଅଫ ଏକ୍ସିଲେନ୍ସି କରାଯାଉଛି । ଶିଶୁମାନଙ୍କର ଏବେ ସିଭିୟରିଟି ବେଶି ନାହିଁ । ମାତ୍ର ଆମେ ଏହାକୁ କୋହଳ ଭାବେ ନେବା ନାହିଁ । ତେଣୁ ସ୍କ୍ରିନିଂକୁ ଆମେ ଚାଲୁ ରଖିବୁ । ଆମେ ଶିଶୁମାନଙ୍କର ଦୈନିକ ସଂକ୍ରମଣ ହାରକୁ ନେଇ ବିଶ୍ଳେଷଣ କରୁଛୁ । ଗତ ତିନି ଦିନ ଭିତରେ କେହି ଭେଣ୍ଟିଲେଟରକୁ ଯାଇନାହାନ୍ତି । ବହୁତ କମ ଶିଶୁଙ୍କର ଅକ୍ସିଜେନ ଦରକାର ଥିଲା ।

Get real time updates directly on you device, subscribe now.