ନବ ଦାସ ହତ୍ୟା ମାମଲା, ଗୋପାଳ ଦାସର ପରିବାରକୁ କ୍ରାଇମବ୍ରାଞ୍ଚର ପଚରାଉଚରା
ଗୋପାଳର ବଡ଼ଭାଇ ସହ ପୁତୁରାକୁ ପଚରାଉଚରା କଲା କ୍ରାଇମବ୍ରାଞ୍ଚ ।
ଭୁବନେଶ୍ବର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବ୍ରହ୍ମପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ ଟିମ୍ । ବ୍ରହ୍ମପୁରରେ ଗୋପାଳ ଦାସର ପରିବାରକୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି ।
ଗୋପାଳର ବଡ଼ଭାଇ ସହ ପୁତୁରାକୁ ପଚରାଉଚରା କଲା କ୍ରାଇମବ୍ରାଞ୍ଚ । ଗତକାଲି ଟାଉନ ଥାନାରେ ପଚରାଉଚରା କରିଥିବା ସୂଚନା ରହିଛି । କିନ୍ତୁ ଏନେଇ ଗୋପାଳଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଦୁଇଦିନ ଭିତରେ ୫ଜଣଙ୍କୁ ପଚରାଉଚରା କରାଯାଇଛି ଏବଂ ସେମାନଙ୍କ ବୟାନ ରେକର୍ଡ କରାଯାଇଛି । ଗୋପାଳଙ୍କ ଭାଇଙ୍କ ସତ୍ୟ ନାରାୟଣ ବୋଲି ଜଣାପଡିଥିବା ବେଳେ ସେ ଝାରସୁଗୁଡାରେ ହୋଟେଲ୍ କରିଥିଲେ ।
କିନ୍ତୁ ନବଦାସଙ୍କ ହତ୍ୟାର କିଛି ଦିନ ପୂର୍ବରୁ ସେ ଝାରସୁଗୁ଼ଡା ଛାଡି ଦେଇଥିଲେ । ତେବେ ଏନେଇ ତାଙ୍କୁ ଆଗୁଆ ସୁରାକ୍ ମିଳିଥିଲା କି ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ଗୋପାଳର ମୋବାଇଲ ମଧ୍ୟ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାର ୬ମାସ ପୂର୍ବରୁ କଲ ଡିଟେଲ ସଂଗ୍ରହ କରାଯାଉଛି । ତେବେ ପ୍ରକୃତ ଘଟଣା କେବେ ସାମ୍ନାକୁ ଆସିବ ତାହା ଦେଖିବା ପାଇଁ ବାକି ରହିଲା ।