fbpx

ସୌମ୍ୟଙ୍କ ମୃତ୍ୟୁ ସରକାରୀ କ୍ୱାର୍ଟର୍ସରେ ହିଁ ହୋଇଛି, ଡିଏଫଓଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ୍

ପାରଳାଖେମୁଣ୍ଡି(ଓଡ଼ିଶା ଭାସ୍କର): ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟର ଗୁମର ଧୀରେ ଧୀରେ ଫିଟୁଛି । କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ ଆଉ ସହଯୋଗ କରୁଛି ପୋଲିସ । ସୌମ୍ୟଙ୍କ ସରକାରୀ ବାସଭବନ ଯାଞ୍ଚ କରୁଥିବାବେଳେ ଘର ଭିତରେ ପୋଡ଼ା ଦାଗ ରହିଥିବା ସମ୍ପର୍କରେ କ୍ରାଇମବ୍ରାଞ୍ଚ ଡିଏସପି ସୂଚନା ଦେଇଛନ୍ତି ।

ସେହିପରି ସୂଚନା ମିଳିଛି ଯେ ଆଉ କିଛି ସମୟ ପରେ ଡିଏଫଓ ସଂଗ୍ରାମ ବେହେରାଙ୍କୁ ପଚରାଉଚରା କରାଯିବ । ଡିଏଫଓଙ୍କ ନାଁରେ ଗୁରୁତ୍ୱର ଅଭିଯୋଗ ଥିବାରୁ ପୁଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଥିବାବେଳେ ବର୍ତ୍ତମାନ ସରକାରୀ ବାସଭବନରେ ତନାଘନା ଚାଲିଛି । ଏଥିସହ ଘରର ଭିଡିଓଗ୍ରାଫି ମଧ୍ୟ କରାଯାଉଛି । ସୌମ୍ୟରଞ୍ଜନଙ୍କ ପରିବାର ବର୍ଗଙ୍କ ଏତଲା କ୍ରମେ ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ ଓ ପତ୍ନୀ ବିଦ୍ୟା ଭାରତୀଙ୍କ ନାମରେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଛି । ରୋଷେୟା ଓ ବିଦ୍ୟାଭାରତୀୟଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଜେରା ସରିଛି କିନ୍ତୁ ଡିଏଫଓଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ ପୂର୍ବରୁ କ୍ୱାର୍ଟର୍ସରୁ କିରୋସିନି ଜବତ ହୋଇଥିଲା । ସେହି କିରୋସିନିରେ ସୌମ୍ୟଙ୍କୁ ପୋଡ଼ି ମାରି ଦିଆଯାଇଥିବା ସାଧାରଣରେ ଅଭିଯୋଗ ହେଉଛି । ଜବତ କିରୋସିନି କମ୍ ପରିମାଣ ରହିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିବା ବେଳେ ନିଆଁ ଲାଗି ସରକାର ଘରର କବାଟ ତଳ ମଧ୍ୟ କିଛି ପୋଡ଼ି ହୋଇଥିବା ଜଣାପଡ଼ିଛି । ଏଥିସହ ଝରକାରେ ଲାଗିଥିବା ମଶା ଜାଲିରୁ ନମୁନା ସଂଗ୍ରହ କରାଯାଇଛି । ମୋଟାମୋଟି ଭାବେ ସରକାରୀ କ୍ୱାର୍ଟର୍ସରେ ହିଁ ସୌମ୍ୟ ପୋଡ଼ି ହୋଇ ପ୍ରାଣ ହରାଇଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ । ଅନ୍ୟପକ୍ଷରେ ସୌମ୍ୟ ଓ ତାଙ୍କ ପତ୍ନୀଙ୍କ କଲ୍ ରେକର୍ଡ ଯାଞ୍ଚ କରାଯିବ ।

Get real time updates directly on you device, subscribe now.