Breaking: ରେକର୍ଡ଼ ଭାଙ୍ଗିଲା ସୁନା ଦର, ପ୍ରଥମ ଥର ପାର କଲା ୯୬ ହଜାର, ଖୁବଶୀଘ୍ର ଲକ୍ଷେ ଛୁଇଁବା ଆକଳନ
ସୁନା ବଜାରରେ ନିଆଁ। ୨୪ କ୍ୟାରେଟ୍ ସୁନା ଦର ୯୯୦ ଟଙ୍କା ବଢ଼ି ପ୍ରଥମ ଥର ୯୬ ହଜାର ପାର କଲା।
ଭୁବନେଶ୍ୱର: ସୁନା କିଣିବା ଏବେ ସ୍ୱପ୍ନ ପାଲଟିଗଲାଣି। ସୁନା କିଣିବା ତ ଦୂରର କଥା ସୁନା କିଣିବା କଥା ଭାବିବା ବେଳକୁ ଡର ଲାଗୁଛି। କାରଣ ଆଜି ସବୁ ରେକର୍ଡ ଭାଙ୍ଗିଛି ସୁନା ଦର। ପ୍ରଥମ ଥର ୯୬ ହଜାର ପାର କରିଛି ସୁନା ଦାମ୍।
ଯାହାକି ପ୍ରତ୍ୟେକ ଲୋକଙ୍କ ପାଇଁ ଏକ ଝଟକା। କାରଣ ଏବେ ବାହାଘର ସିଜିନ୍ ଚାଲିଛି। ପ୍ରାୟ ଲୋକଙ୍କର ସୁନା କିଣିବା ଆବଶ୍ୟକ ରହିଛି। ଆଉ ଏହାରି ଭିତରେ ସୁନା ଦରରେ ନିଆଁ ଲାଗିବା ଏକ ପ୍ରକାର ଲୋକଙ୍କୁ ଚିନ୍ତାରେ ପକାଇଦେଇଛି।
ଗତ ଦୁଇ ଦିନ ତଳେ ସୁନା ଦର ପାଖାପାଖି ୫୦୦ ଟଙ୍କା କମିଥିଲା। ଯାହାକି ସୁନା ପ୍ରେମୀଙ୍କୁ ଟିକେ ଆଶ୍ୱସ୍ତ କରିଥିଲା। ହେଲେ ହଠାତ୍ ଆଜି ସୁନା ଦର ବଢିବା ଏବଂ ଏକାଥରେ ୯୬ ହଜାର ପାର କରିବା ପ୍ରାୟ ଲୋକଙ୍କୁ ଝଟକା ଦେଇଛି।
ହଁ ଆଜି ଭୁବନେଶ୍ୱର ବଜାରରେ ଖାଣ୍ଟି ସୁନା ବା ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୯୯୦ ଟଙ୍କା ବଢ଼ିଛି। ଏହି ଦର ବୃଦ୍ଧି ସହ ୨୪ କ୍ୟାରେଟ୍ ସୁନାର ଦାମ୍ ୯୬,୧୭୦ ଟଙ୍କାରେ ପହଞ୍ଚିଛି।
ସେହିପରି ଗହଣା ତିଆରି ହେଉଥିବା ୨୨ କ୍ୟାରେଟେ ସୁନାର ଦାମ ୧୦ ଗ୍ରାମ ପିଛା ୯୫୦ ଟଙ୍କା ବଢିଛି। ଏହାସହ ୨୨ କ୍ୟାରେଟ୍ ସୁନାର ଦାମ୍ ୮୮ ହଜାର ୧୫୦ ଟଙ୍କାରେ ପହଞ୍ଚିଛି।
ଗତ ଦୁଇ ଦିନ ହେବ ୧୦ ଗ୍ରାମ ପିଛା ୫୦୦ ଟଙ୍କା ସୁନାର ମୂଲ୍ୟ ଖସିଥିଲା। କିନ୍ତୁ ପୁଣିଥରେ ସୁନା ଦାମ୍ ବଢ଼ିଥିବାରୁ ଲକ୍ଷେ ଟଙ୍କା ଛୁଇଁବା ଆଉ ବେଶୀ ଦିନ ନୁହଁ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି।