fbpx
BJD SKY
BJD SKY

ଖଣ୍ଡଗିରିରେ ଯାତ୍ରା ଦେଖିବା ପାଇଁ ଯାତ୍ରାପ୍ରେମୀଙ୍କ ଖଚାଖଚ ଭିଡ଼: ଚର୍ଚ୍ଚାରେ ‘ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ ନାଟକ

BJD

ଭୁବନେଶ୍ୱର: ଖଣ୍ଡଗିରିରେ ଆରମ୍ଭ ହୋଇଛି ଯାତ୍ରା ମହାକୁମ୍ଭ। ତେଣୁ ନାଟକ ଦେଖିବା ପାଇଁ ସନ୍ଧ୍ୟା ସମୟରେ ଯାତ୍ରାପ୍ରେମୀଙ୍କ ପ୍ରବଳ ଭିଡ଼ ହୋଇଛି। ଚଳିତବର୍ଷ ଯାତ୍ରା ମହାକୁମ୍ଭରେ ସାମିଲ ହୋଇଛନ୍ତି ୧୨ ଟି ବଛା ବଛା ଅପେରା ପାର୍ଟି। ତେବେ ପ୍ରଥମ ସନ୍ଧ୍ୟାରେ ୫ଟି ଯାତ୍ରା ପାର୍ଟି ନାଟକ ପରିବେଷଣ କରିଛନ୍ତି। ଆଗକୁ ଆହୁରି ଯାତ୍ରାପାର୍ଟି ପଡ଼ିବାକୁ ଥିଲା ବେଳେ, ଗୌରୀ , କଳିଙ୍ଗ, କୋଣାର୍କ, ସାଇ ସମ୍ରାଟ ଓ ମାଆ ଦୁର୍ଗା ମନ୍ଦିର ମଧ୍ୟରେ ଦେଖିବାକୁ ମିଳିଛି ମହା ମୁକାବିଲା । ଚଳିତବର୍ଷର ଶ୍ରେଷ୍ଠ ନାଟକ, ଅତ୍ୟାଧୁନିକ ଆଲୋକ, ବଛା ବଛା କଳାକାରଙ୍କ ସହ ରେକର୍ଡ ଡ୍ୟାନ୍ସ ଦର୍ଶକଙ୍କୁ ଆକର୍ଷିତ କରିଛି। ପ୍ରଥମ ଦିନରୁ ହିଁ ସବୁ ଅପେରା ପେଣ୍ଡାଲରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ବିଶେଷକରି ଗୌରୀ ଗଣନାଟ୍ୟର ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା ନାଟକ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।

ସେପଟେ ଦର୍ଶକଙ୍କ ସୁବିଧା ପାଇଁ ସମସ୍ତ ଯାତ୍ରା କମିଟି ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ପ୍ରତ୍ୟେକ ପେଣ୍ଡାଲରେ ୨ ହଜାରରୁ ୩ ହଜାର ଦର୍ଶକ ବସିବାର ବ୍ୟବସ୍ଥା କରାଯାଇଛି। ତେବେ ଯାତ୍ରା ପ୍ରେମୀଙ୍କୁ ଦୃଷ୍ଟିରେ ରଖି ଦୁଇ ପ୍ରକାର ଟିକେଟର ମୂଲ୍ୟ ଧାର୍ୟ୍ୟ କରାଯାଇଛି। ସାଧାରଣ ବର୍ଗଙ୍କ ପାଇଁ ଟିକେଟର ମୂଲ୍ୟ ୧୫୦ ଟଙ୍କା ଓ ସ୍ୱତନ୍ତ୍ର ବର୍ଗ ପାଇଁ ମୂଲ୍ୟ ରହିଛି ୨୫୦ ଟଙ୍କା । ଶାନ୍ତି ଶୃଙ୍ଖଳା ପାଇଁ କମିଟି ପକ୍ଷରୁ ଅଧିକ ସଦସ୍ୟଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପଟେ ଯାତ୍ରା ସାଙ୍ଗକୁ ରାଜ୍ୟ ସମେତ ରାଜ୍ୟ ବାହାରରୁ ସାଧୁସନ୍ଥମାନେ ଖଣ୍ଡଗିରିରେ ଆସି ନିଜ ନିଜର ପରାକାଷ୍ଠା ଦେଖାଉଛନ୍ତି। ବିଭିନ୍ନ ମୁଦ୍ରା​ରେ ସେମାନେ ଧ୍ୟାନ କରୁଛନ୍ତି । ଧୂନୀ ସ୍ଥାପନ କରି, ଦୀପ ଜଳାଇ ସାଧୁ ସନ୍ଥମାନେ ଧ୍ୟାନ ମଗ୍ନ ରହିବା ସହ ବିଶ୍ୱର କଲ୍ୟାଣ ପାଇଁ ଜପ ତପ ଓ ଯଂଜ୍ଞ କରୁଛନ୍ତି। ସେହିପରି ସାଧୁ ମାନଙ୍କର ବିଶ୍ୱର କଲ୍ୟାଣ ଦିଗରେ କରାଯାଉଥିବା ସଂକୀର୍ତନ, ହରିନାମ ଶଙ୍ଖ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ।

Get real time updates directly on you device, subscribe now.