fbpx

କ୍ରିୟୋନିକ୍ସ ସ୍କିମ: ମୃତ୍ୟୁ ପରେ ଜୀବନ ଦାନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ କଡି

ଲଣ୍ଡନ: ଭଗବାନ ସବୁ ଜୀବଙ୍କ ପାଇଁ ବୟସ ସୀମା ନିର୍ଦ୍ଧାରଣ କରିଛନ୍ତି ବୋଲି ଆମ ଧର୍ମ ଶାସ୍ତ୍ରରେ ଉଲ୍ଲେଖ ରହିଛି । କିନ୍ତୁ ମଣିଷ ଏମିତି ଏକ ଜୀବ ସେ ଅମର ହେବାକୁ ଚାହେଁ । ସେଥିପାଇଁ ହୁଏତ ଲଣ୍ଡନର ଏକ ଶବାଗାର ଏବେ ମୃତଦେହରେ ଭର୍ତ୍ତି ହୋଇଯାଇଛି । ବଡ ବଡ ବରଫ ଖଣ୍ଡ ଭିତରେ ମୃତଦେହକୁ ସଂରକ୍ଷିତ ରଖାଯାଇଛି । ଆଉ ଏମିତି କାମ କରିଛନ୍ତି ମୃତ୍ୟୁବରଣ କରିଥିବା ଲୋକ ନିଜେ ।

ଭବିଷ୍ୟତରେ ପୁଣି ଜୀଇଁ ଉଠିବା ଆଶା ନେଇ କିଛି ଲୋକ ନିଜ ମୃତଦେହ ଶାବାଗାରରେ ପ୍ରିଜର୍ଭ କରୁଛନ୍ତି । ଏଥିପାଇଁ ସେମାନଙ୍କୁ ଦେବାକୁ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ଆଉ କିଛି ଲୋକ ବର୍ତ୍ତମାନ ଜୀବିତ ଥିବା ବେଳେ ଆଗାମୀ ଦିନ ପାଇଁ ନିଜ ପାଇଁ ଏହି ଶବାଗାରରେ ସ୍ଥାନ ରିଜର୍ଭ କରିରଖିଛନ୍ତି । ଏହି ପ୍ରକ୍ରିୟାକୁ କ୍ରିୟୋନିକ୍ସ ସ୍କିମ କୁହାଯାଉଛି ।

ଏଥିପାଇଁ ଲଣ୍ଡନରେ ବିଧିବଦ୍ଧ ଏକ ଇନଷ୍ଟିଚ୍ୟୁଟ ଖୋଲାଯାଇଛି, ଯେଉଁଠି ସେହି ଶବ ସବୁ ରଖାଯାଇଛି । ଏପରି କରିବାର କାରଣ, ଦିନେ ସେମାନେ ବଞ୍ଚିପାରିବେ । ତେଣୁ ମୃତଦେହର ସଂସ୍କାର କରିବା ବଦଳରେ ସେହି ସେଣ୍ଟରରେ ଶୁଖିଲା ବରଫ ପକେଟରେ ରଖାଯାଏ । ଏହି ପକେଟର ନିର୍ମାଣ ଏମିତି ହୋଇଛି ଏଥିରେ ବର୍ଷ ବର୍ଷ ଧରି ମୃତଦେହ ସେମିତି ସତେଜ ରହିଥାଏ ।

କ୍ରିୟୋନିକ ମର୍ଚରୀରେ ଶବଗୁଡିକୁ ରଖିବାକୁ ବଡ ବଡ ବକ୍ସ କରାଯାଇଛି । ସେଥିରେ ଲିକୁଇଡ ନାଇଟ୍ରୋଜେନ ଦେଇ ବଡିକୁ -୧୯୬ ଡିଗ୍ରୀ ସେଲସିୟସରେ ରଖାଯାଏ ଏହି ଆଶାରେ କି, ଭବିଷ୍ୟତରେ କେହି ଏମିତି ଆବିଷ୍କାର କରିବ, ଯେଉଁଥିରେ ମୃତବ୍ୟକ୍ତି ପୁଣି ଜୀବନ ପାଇବ । ଏଥିସହ ସେମାନେ ଯେଉଁ ରୋଗରେ ମୃତ୍ୟୁବରଣ କରିଛନ୍ତି, ସେହି ରୋଗର ନିଦାନ ମଧ୍ୟ ସମ୍ଭବ ହେବ । ଏହା ମଧ୍ୟରେ ୨୫୦ରୁ ଅଧିକ ଲୋକଙ୍କ ଶବ ଏଠାରେ ସଂରକ୍ଷିତ ରଖାଯାଇସାରିଲାଣି ।

ଖାଲି ମଣିଷ ନୁହେଁ କିଛି ଲୋକ ନିଜ ଗୃହପାଳିତ ପଶୁଙ୍କୁ ମଧ୍ୟ ଏଠି ରଖିଛନ୍ତି ପୁନର୍ଜୀବନ ଦେବା ଆଶାରେ । ତେବେ ଏହି ପ୍ରକ୍ରିୟାରେ ପ୍ରଥମ ବ୍ୟକ୍ତି ଥିଲେ ଜଣେ ମହିଳା । ୧୯୭୭ରେ ରିୟା ଏଟିଙ୍ଗର ନାମ୍ନୀ ମହିଳା ନିଜ ଶବ ଏଠି ସଂରକ୍ଷଣ କରିଥିଲେ । ଲୋକଙ୍କ ବିଶ୍ୱାସ, ଏଆଇ ବା ଷ୍ଟେମ ସେଲ ରିସର୍ଚ୍ଚ ମାଧ୍ୟମରେ ମଣିଷ ମୃତ୍ୟୁ ଉପରେ ବିଜୟ ପାଇପାରିବ ।

Get real time updates directly on you device, subscribe now.