fbpx

ଟମାଟୋ ରେଟ୍ ଲଗାଇଲା ନାଟ! ୩୦ ଗ୍ରାମ ପାଇଁ ଗ୍ରାହକ-ଦୋକାନୀ ବାଡ଼ିଆପିଟା, ଚୋର ନେଇଗଲା ଅଢ଼େଇ ଲକ୍ଷ ଟଙ୍କାର ଟମାଟୋ

Advertisement

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଟମାଟୋ ନିଆଁ ଜଳିବାରେ ଲାଗିଛି । ଟମାଟୋ ସହିତ, ଲଙ୍କା, ଜିରାର ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଛି । ଏଥିସହିତ ଆଳୁ, ପିଆଜର ଦର ମଧ୍ୟ ବଢ଼ୁଥିବା ଦେଖାଯାଉଛି । ଅଧିକାଂଶ ପନିପରିବାର ଦାମ୍ ଏବେ ବହୁତ ଉଚ୍ଚ ରହିଛି । ଦେଶର ଅଧିକାଂଶ ରାଜ୍ୟରେ ଏବେ ଟମାଟୋ କିଲୋ ୧୦୦ ଟଙ୍କା ଉପରେ ରହିଛି ।

ତେବେ ଟମାଟୋର ମହଙ୍ଗା ଚଡ଼କ ଗ୍ରାହକଙ୍କ ଉପରେ ପଡ଼ିଛି । ପରିସ୍ଥିତି ଏପରି ହୋଇଛି ଯେ, ମାତ୍ର ୩୦ ଗ୍ରାମ ଟମାଟୋ ପାଇଁ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ହାତାହାତି ଦେଖିବାକୁ ମିଳିଛି । ଦୁହେଁ ଧସ୍ତାଧସ୍ତି ହେବା ସହିତ ମୁଥ ମରାମରି ହୋଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀର ବରମୁଣ୍ଡାର ପାଇକନଗର ଅଞ୍ଚଳରେ । ପ୍ରଥମେ ଗ୍ରାହକ ଟମାଟୋ ରେଟ୍ ପଚାରିଥିଲେ । ଏହାପରେ କେଜି ୧୨୦ରୁ ଆଦୌ କମ୍ ହେବନି ବୋଲି ଦୋକାନୀ କହିଥିଲେ । ତେବେ ଏହାପରେ ୨୫୦ ଗ୍ରାମର ଟମାଟୋ ଦେବାକୁ ଗ୍ରାହକ କହିଥିଲେ । ଏହାପରେ ଇଲେକ୍ଟ୍ରୋନିକ ଦଣ୍ଡିରେ ପରିବାର ଓଜନ ୨୯୦ ଗ୍ରାମ ହୋଇଥିଲା । ତେଣୁ ଦୋକାନୀ ଗୋଟିଏ ଟମାଟୋ କାଢ଼ିଦେଇଥିଲେ, ଫଳରେ ଓଜନ ୨୬୦ ଗ୍ରାମ ହୋଇଯାଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହିତ ଗଣ୍ଡଗୋଳ ହୋଇଥିଲା ।

ଅନ୍ୟ ଏକ ଘଟଣାକ୍ରମେ, କର୍ଣ୍ଣାଟକର ହାସନ ଜିଲ୍ଲାର ଜଣେ କୃଷକଙ୍କ କ୍ଷେତରୁ ବହୁତ ଟମାଟୋ ଚୋରି ହୋଇଯାଇଛି । ଚୋରି ହୋଇଥିବା ଟମାଟୋର ବଜାର ମୂଲ୍ୟ ପାଖାପାଖି ୨.୫ ଲକ୍ଷ ଟଙ୍କା ହେବ ବୋଲି କୃଷକ ଜଣଙ୍କ କହିଛନ୍ତି । ଏନେଇ ସେ ପୋଲିସରେ ମାମଲା ଦାୟର କରିଛନ୍ତି । ଫସଲ ତୋଳିବା ଯୋଗ୍ୟ ପରେ କୃଷକ ଜଣଙ୍କ ତାହାକୁ ବଜାରରେ ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ ଏହା ମଧ୍ୟ ଚୋର ସବୁ ଟମାଟୋ ନେଇ ଛୁ ମାରିଛି । ଏବେ କୃଷକ ଜଣଙ୍କ କେବଳ ଭାଗ୍ୟକୁ ଆଦରି ବସି ରହିଛନ୍ତି । ତେବେ ଏହି ଦୁଇଟି ଘଟଣା ପରେ ମନକୁ ଗୋଟିଏ କଥା ଆସୁଛି, ‘ଟମାଟୋ ପାଇଁ କେଉଁଠି ଲାଗିଛି କଳି ତ କେଉଁଠି ହେଉଛି ଚୋରି ।’

Get real time updates directly on you device, subscribe now.