fbpx

ଆସନ୍ତା ଜାନୁଆରୀ ପହିଲାରୁ କଲେଜରେ ଆରମ୍ଭ ହେବ ସାଇବର ଟ୍ରେନିଂ କାର୍ଯ୍ୟକ୍ରମ: ସାଇବର କ୍ରାଇମ ବିଲୋପ ପାଇଁ କମିଶନରେଟ୍ ପୋଲିସର ବଡ଼ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ସାଇବର କ୍ରାଇମ୍ ବହୁଳ ମାତ୍ରାରେ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଟ୍ୱିନ୍ ସିଟିର ବିଭିନ୍ନ ସ୍କୁଲମାନଙ୍କରେ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନିଂ ପ୍ରୋଗ୍ରାମ ଆରମ୍ଭ ହୋଇଛି । ଏହି କର୍ମଶାଳାରେ ସ୍କୁଲ ପିଲାଙ୍କୁ ସାଇବର କ୍ରାଇମ୍ ସମ୍ପର୍କରେ ସଚେତନ କରାଯାଇଛି । ଏନେଇ ପୋଲିସ ପକ୍ଷରୁ ୧୦୦ଟି ସ୍କୁଲର ତାଲିକା ପ୍ରସ୍ତୁତ କରାଯାଇଛି ।

ତେବେ ଏହା ମଧ୍ୟରେ କମିଶନରେଟ୍ ପୋଲିସ କିଛି ସ୍କୁଲରେ ପ୍ରଶିକ୍ଷଣ ଶିବିର ଆରମ୍ଭ କରିସାରିଥିବା ବେଳେ ଆସନ୍ତା ମାସ ପହିଲାରୁ କଲେଜରେ ସାଇବର ଶିକ୍ଷା ପ୍ରଦାନ କରାଯିବ । ଗତ ୫ ତାରିଖରେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବିକାଶ ରେସିଡେନ୍ସିଆଲ ଇନଷ୍ଟିଚ୍ୟୁଟରେ ଏହି ଅଭିଯାନ ଆରମ୍ଭ କରିଥିଲା ପୋଲିସ । ଏହା ମଧ୍ୟରେ ଏକାଧିକ ସ୍କୁଲରେ ପୋଲିସ ପକ୍ଷରୁ ସାଇବର ସମ୍ପର୍କିତ ଟ୍ରେନିଂ ଆରମ୍ଭ ହୋଇସାରିଲାଣି ।

ତେବେ ପ୍ରତି ସ୍କୁଲରେ ତିନିଜଣ ପିଲାଙ୍କୁ ସାଇବରମିତ୍ର ଭାବେ ଚୟନ କରାଯାଇଛି । ଏମାନେ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବା ସହ ସାଇବର ଅପରାଧ ସମ୍ପର୍କିତ ଘଟଣାବଳୀକୁ ସ୍କୁଲ କର୍ତ୍ତୃପକ୍ଷ ଓ ପୋଲିସ ନଜରକୁ ଆଣିବେ । କେହି ସାଇବର ଠକାମିର ଶିକାର ହେଲେ ଛାତ୍ରଛାତ୍ରୀମାନେ ସିଧାସଳଖ ପୋଲିସ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।

ତେବେ ସ୍କୁଲ ସ୍ତରରୁ ସାଇବର ସଚେତନତା ସୃଷ୍ଟି ହେଲେ ରାଜ୍ୟରୁ ସାଇବର କ୍ରାଇମ୍ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏହି ପ୍ରକ୍ରିୟାରେ ଟ୍ୱିଟ୍ ସିଟିର ସ୍କୁଲଗୁଡ଼ିକରେ ସାଇବର ସିକ୍ୟୁରିଟି କ୍ଲବ ଖୋଲାଯିବ । ଏଥିସହିତ ଏକ ହ୍ୱାଟଟଆପ୍ ଗ୍ରୁପ ଗଠନ କରି ଟ୍ରାଫିକ, ନିଶା କାରବାର, ଆତ୍ମହତ୍ୟା ଉପରେ ପିଲାମାନଙ୍କୁ ସଚେତନ କରାଯିବ । ଏହି କାର୍ଯ୍ୟକ୍ରମଗୁଡ଼ିକରେ ସିପି, ଡିସିପି ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ସାଇବର ସଚେତନତା ନେଇ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।

Get real time updates directly on you device, subscribe now.