ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’, ଓଡ଼ିଶାର ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ

ଭୁବନେଶ୍ବର: ବଙ୍ଗୋପସାଗରରେ ବଳ ଗୋଟାଇ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା । ଏହାର ପ୍ରଭାବରେ ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ବର୍ଷା ଏବଂ ପବନ ଜାରି ରହିଛି । ସନ୍ଧ୍ୟା 5ଟାରୁ ଘୋଟି ଆସିଛି ଅନ୍ଧାର । ସନ୍ଧ୍ୟା ସମୟରେ ରାତ୍ରିର ଭ୍ରମ ଦେଖାଦେଇଛି ।  ଆଜି ଭିତରକନିକା-ଧାମରା ମଧ୍ୟରେ ଏହା ଉପକୂଳ ଅତିକ୍ରମ କରିବା ନେଇ ଆକଳନ କରାଯାଇଛି । ରାତି 3ଟାରୁ ଭୋର ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି । ତେବେ ଦାନା ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ସୂଚନା ରହିଛି । ଯଦି ରାଜଧାନୀ ଭୁବନେଶ୍ବର କଥା ଦେଖିବା ତାହେଲେ ଭୁବନେଶ୍ବରରେ ମଧ୍ୟ ସନ୍ଧ୍ୟାରୁ ସମୟ ଅନୁସାରେ ପବନ ଏବଂ ବର୍ଷାର ବେଗ ବୃଦ୍ଧିପାଇବାରେ ଲାଗିଛି ।

ତେବେ ଲ୍ୟାଣ୍ଡଫଲ କରିବା ପରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡିଶାରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାର 9 ଜିଲ୍ଲାକୁ ରେଡ୍ ଆଲର୍ଟ ଦାରି କରାଯାଇଛି । ଅନ୍ୟ 6 ଜିଲ୍ଲାକୁ ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଜାରି କରାଯାଇଛି । ଲ୍ୟାଣ୍ଡଫଲ ପରେ ବାତ୍ୟା ଦିଗ ବଦଳାଇବା ନେଇ ଅନୁମାନ କରାଯାଉଥିବା ବେଳେ ପ୍ରବଳ ଜାରି ରହିବ ବୋଲି କୁହାଯାଇଛି । ଗଂଜାମ, ପୁରୀ, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି ।