fbpx

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା, ଏହିସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ବଙ୍ଗୋପସାଗରରେ ଗୁରୁବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର ଓଡ଼ିଶା ଓ ଉତ୍ତର ବଙ୍ଗୋପସାଗରରେ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ । ଏପରିକି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି, ୨ଓ ୩ ଦୁଇଦିନ ଧରି ଅତି ପ୍ରବଳ ବର୍ଷା ଲାଗି ରହିବ ।

ତେବେ ବନ୍ୟା ସଂପର୍କରେ ଶ୍ରୀ ମହାପାତ୍ର କହିଥିଲେ ଯେ ଏହା ବହୁ ଫ୍ୟାକ୍ଟର ଉପରେ ନିର୍ଭର କରିଥାଏ । କିନ୍ତୁ ଏକଥା ସତ, ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇଦିନ ଧରି ୨୦ ସେଣ୍ଟିମିଟରରୁ ଅଧିକ ବର୍ଷାର ସମ୍ଭାବନା ରହିଛି । ସେ କହିଛନ୍ତି, ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଧୀରେ ଧୀରେ ପଶ୍ଚିମ-ଉତ୍ତର ଦିଗରେ ଗତି କରିବ । ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡରେ ଏହା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହେବ । ଅନ୍ୟପକ୍ଷରେ ଝାଡ଼ଖଣ୍ଡ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ସହ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । କେଉଁଠି ଝିପିଝିପି ବର୍ଷା ହେଉଛି ତ ଆଉ କେଉଁଠି ମୂଷଳ ଧାରାରେ ବର୍ଷା ହେଉଛି । ତୁହାକୁ ତୁହା ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ଅନୁଗୋଳ, ବୌଦ୍ଧ, ନୟାଗଡ଼, ଢେଙ୍କାନାଳ ଓ କଟକ ଜିଲ୍ଲାର କେତେକ ଅଞ୍ଚଳରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜର ସଦର ମହକୁମା ବାରିପଦାରେ ୧୫୬.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.