fbpx
BJD
BJD SKY
BJD SKY

ଗାଁକୁ ମାଡ଼ି ଆସିଲା ସମୁଦ୍ର ଜଳ, ଧୋଇନେଲା କୁଡ଼ିଆ

ଭୁବନେଶ୍ୱର,ବାଲେଶ୍ୱର(ଓଡ଼ିଶା ଭାସ୍କର): ୟଶ ରଚିଲା ତାଣ୍ଡବ । ୧୫୦ କିମି ବେଗରେ ବୋହିଲା ପବନ । ଭାଙ୍ଗିଦେଲା କେତେ କଚ୍ଚା ଘର। ଗଛ ଡାଳ, ଚାଳ ଆଦି ଉଡ଼ାଇନେଲା । ଖାଲି ସେତିକି ନୁହେଁ ୟଶ ପ୍ରକୋପରେ ଗାଁକୁ ମାଡ଼ି ଆସିଲା ସମୁଦ୍ର ପାଣି । ଏଭଳି ତାଣ୍ଡବ ରଚିଛି ୟଶ୍ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ । ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକୋପ ପ୍ରାୟ ୩-୪ ଘଣ୍ଟା ରହିବା ପରେ ସାମାନ୍ୟ ଥମିଥିଲା ଝଡ଼ପବନ। ଠିକ୍ ଏହା ପରେ ପରେ ଉଦ୍ଧାର କାର୍ଯ୍ୟ ସମେତ ରିଲିଫ୍ ଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗର ପ୍ରଭାବିତ ଅଞ୍ଚଳରେ ମଧ୍ୟ ଏଭଳି ବାତ୍ୟା ପରବର୍ତ୍ତୀ ଆଉ ପଦକ୍ଷେପ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ବୁଧବାର ପୂର୍ବାହ୍ଣ ପ୍ରାୟ ୯ଟାରୁ ବାତ୍ୟା ୟଶ ଲ୍ୟାଣ୍ଡଫଲ୍ କରିବା ଆରମ୍ଭ କରିଦେଇଥିଲା । ଆଉ ଏହାର ତାଣ୍ଡବ ଲାଗି ରହିଥିଲା ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତି । ପରେ ଏହା ସ୍ଥଳଭାଗରେ ଉତ୍ତର ଓଡ଼ିଶା ସମେତ ଝାଡ଼ଖଣ୍ଡ ପାଇଁ ହାଇ ଆଲର୍ଟ ଜାରି କରାଯାଇଥିଲା । ସମ୍ପୃକ୍ତ ରାଜ୍ୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା କାର୍ଯ୍ୟ ଜୋରଦାର କରାଯାଇଥିଲା ।

ୟଶ୍ ପ୍ରଭାବରେ ଥରହର ହେଲା ଓଡ଼ିଶା:

  • ବାଲେଶ୍ୱର ଜିଲ୍ଲା ବାତ୍ୟା ୟଶ୍ ସ୍ଥଳଭାଗ ଛୁଇଁଥିବାବେଳେ ବହୁଳ କ୍ଷତି ଘଟାଇଛି । ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଅଦି ଉପୁଡ଼ି ପଡ଼ିଛି । ଆଜବେଷ୍ଟସ୍ ସମେତ ଅନ୍ୟ ଝାଟିମାଟି ଘର ଭାଙ୍ଗିପଡ଼ିଛି । ଏପରିକି ଅନେକ ଲୋକ ବାସହରା ହୋଇପଡ଼ିଛନ୍ତି ।
  • କେନ୍ଦୁଝରରେ ଜଣେ ବ୍ୟକ୍ତି ଗଛପଡ଼ି ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ନାୟକ । ସେ ସବୁଦିନ ଭଳି ନିକଟସ୍ଥ ଏକ ସ୍ଥାନକୁ ପୂଜା ପାଇଁ ଯାଇଥିବାବେଳେ ଗଛଡାଳ ପଡ଼ି ପ୍ରାଣ ହରାଇଥିବା ସୂଚନା ମିଳିଛି ।
  • ବାଲେଶ୍ୱର ଜିଲ୍ଲାର ଅନେକ ଗାଁକୁ ସମୁଦ୍ର ଜଳ ମାଡ଼ି ଆସିଥିବାବେଳେ ରାସ୍ତାଘାଟ ଆଦି ସବୁ ଜଳମଗ୍ନ ହୋଇପଡ଼ିଛି ।
  • ସେହିପରି କେତେକ ଘର ବର୍ଷା-ପବନରେ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଯାଇଛି । କସାଫଳ ପଞ୍ଚାୟତରେ ଏଭଳି ଲୋକେ ହୀନସ୍ତା ହୋଇଛନ୍ତି । ବାଲିଆପାଳ ବ୍ଲକ୍ ଅଞ୍ଚଳରେ ମଧ୍ୟ ବର୍ଷାଜଳ ରାସ୍ତାଘାଟକୁ ସମ୍ପୂର୍ଣ୍ଣ ଡୁବାଇ ଦେଇଥିବା ସୂଚନା ମିଳିଛି ।
  • ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଓ ମୟୂରଭଞ୍ଜ ଆଦି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର କରାଯିବା ସହ ରହିବା ଓ ଖାଇବା ବ୍ୟବସ୍ଥା ଆଦି କରାଯାଉଛି ।
  • ଓଡ୍ରାଫ୍, ଏନଡିଆରଏଫ୍, ଓଡ଼ିଶା ପୋଲିସ୍, ଅଗ୍ନିଶମ ବାହିନୀ ସମେତ ଅନ୍ୟ ବିଭାଗ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ତ୍ୱରିତ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।
  • ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ଯେ ରାସ୍ତାଘାଟରେ ଗଛଡାଳ ଆଦି ପଡ଼ି ରହିଥିବାବେଳେ ପ୍ରାୟ ୯୦ ପ୍ରତିଶତ ସଫେଇ କାର୍ଯ୍ୟ ସରିଯାଇଛି । ବୁଧବାର ସନ୍ଧ୍ୟା ସୁଦ୍ଧା କେତେକ ପ୍ରମୁଖ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହୋଇପାରିବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି ।
Cylocne yaas affected Balasore Odisha #OdishaBhaskar
(Reuters)

Get real time updates directly on you device, subscribe now.