fbpx

ଏସଆରସିଙ୍କ ପକ୍ଷରୁ ଆଜି ସମ୍ଭାବ୍ୟ ବାତ୍ୟା ସମୀକ୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ମେ’ ୨୬ ତାରିଖ ସୁଦ୍ଧା ଆଉ ଏକ ବାତ୍ୟା ଦାନା ବାନ୍ଧୁଥିବା ନେଇ ଆଇଏମଡି ପକ୍ଷରୁ ସୁଚନା ଦିଆଯିବା ପରେ ଓଡିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି । ତେବେ ଏହି ବାତ୍ୟାର ନାଁ ‘ୟଶ୍’ ରଖାଯାଇଥିବା ବେଳେ ଏହାର ପ୍ରଭାବ ଓଡିଶା ଉପରେ ପଡିବ ବୋଲି ଆକଳନ କରାଯାଇଛି । ଏନେଇ ଆଜି ଏସଆରସିଙ୍କ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ସମୀକ୍ଷା କରାଯାଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ଏସଆରସିଙ୍କ ପକ୍ଷରୁ ଆଜି ଆଇଏମଡିଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯିବା ସହ ବିଭିନ୍ନ ବିଭାଗର ସଚିବ ମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ଖାଦ୍ୟ ବିଭାଗ ଠାରୁ ଆରମ୍ଭ କରି ଉଦ୍ଧାର କାର୍ଯ୍ୟ ସହ ଜଡିତ ସମସ୍ତ ବିଭାଗୀୟ ସଚିବଙ୍କୁ ବାତ୍ୟା ନେଇ ଏସଆରସି ସଜାଗ ରହିବାକୁ କହିଛନ୍ତି । ମ୍ୟାନ ପାୱାର୍ ଏବଂ ମେସିନାରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସମ୍ଭାବ୍ୟ ବାତ୍ୟା ନେଇ ବିଭାଗୀୟ ସଚିବ ମାନେ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାଇଛନ୍ତି ।

ଏହି ବୈଠକରେ ଗୃହ ବିଭାଗ ଉପସ୍ଥିତ ଥିବା ବେଳେ ଉକ୍ତ ବିଭାଗର ସଚିବଙ୍କୁ ବନ୍ୟା ବିପନ୍ନ ଅଞ୍ଚଳର ଲୋକଙ୍କୁ କିପରି ଠିକ୍ ସମୟରେ ଉଦ୍ଧାର କରାଯାଇ ପାରିବ ସେଥିପାଇଁ ଓଡ୍ରାଫ୍ ଟିମ୍ ଏବଂ ଏନଡିଆରଏଫ୍ ଟିମ୍ କୁ କିପରି ସଜାଗ କରାଯିବ ସେ ସମ୍ପର୍କରେ ଧ୍ୟାନ ଦେବାକୁ କହିଥିଲେ ଏସଆରସି । ସୁଚନାଯୋଗ୍ୟ, ୨୨ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଏହା ୨୬ ତାରିଖରେ ବାତ୍ୟାର ରୁପ ନେବ । ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସକାଳେ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ବାତ୍ୟା ପହଞ୍ଚିବାର ସମ୍ଭାବନା ରହିଛି । ତେବେ ବାତ୍ୟା କେତେବେଳେ ଏବଂ କେଉଁଠି ଲ୍ୟାଣ୍ଡଫଲ୍ କରିବ ଏବଂ ତାର ତୀବ୍ରତା କେତେ ରହିବ ତାହା ଲଘୁଚାପ ସୃଷ୍ଟି ହେବାପରେ ହିଁ ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।

Get real time updates directly on you device, subscribe now.