fbpx

ନଭେମ୍ବର ୯ ରେ ମୁଖ୍ୟବିଚାରପତି ଦାୟିତ୍ୱ ଗ୍ରହଣ କରିବେ ଡିୱାଇ. ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫୦ ତମ ମୁଖ୍ୟବିଚାରପତି ହେବେ ଜଷ୍ଟିସ ଡିୱାଇ. ଚନ୍ଦ୍ରଚୂଡ଼। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କୁ ଏହି ପଦରେ ନିଯୁକ୍ତି କରିଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ଼ ୯ନଭେମ୍ବରରକୁ ଏହି ଦାୟିତ୍ୱ ଗ୍ରହଣ କରିବେ। କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ ଟୁଇଟ୍ କରି ଏବିଷୟରେ ସୂଚନା ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟବିଚାର ୟୁୟୁ ଲଳିତ ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କୁ ଡିୱାଇ. ଚନ୍ଦ୍ରଚୂଡ଼ଙ୍କ ନାମ ତାଙ୍କର ଉତ୍ତରାଧିକାରୀ ଭାବରେ ସୁପାରିସ କରିଥିଲେ। ଏହା ପୁର୍ବରୁ ସରକାର ମୁଖ୍ୟବିଚାରପତିଙ୍କୁ ଏକ ତାଙ୍କ ଉତ୍ତରାଧିକାରୀ ସୁପାରିସ କରିବାକୁ କହିଥିଲେ।

କାର୍ଯ୍ୟଭାର ଗ୍ରହଣ କରିବା ପରେ ଜଷ୍ଟିସ ଚନ୍ଦ୍ରଚୁଡ଼ଙ୍କର କାର୍ଯ୍ୟକାଳ ଦୁଇ ବର୍ଷ ରହିବ। ଯାହା ୧୦ ନଭେମ୍ବର ୨୦୨୪ରେ ଶେଷ ହେବ। ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପ୍ରକ୍ରିୟା ସ୍ମାରକପତ୍ର ଅନୁଯାୟୀ, ବିଦାୟୀ ମୁଖ୍ୟବିଚାରପତି ଆଇନ ମନ୍ତ୍ରଣାଳୟର ଚିଠି ପାଇବା ପରେ ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିଶ କରିବାର ପ୍ରକ୍ରିୟା ଆରମ୍ଭ କରିବେ।

ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ଜନ୍ମ ୧୯୫୯ ନଭେମ୍ବର ୧୧ରେ ହୋଇଛି। ବର୍ତ୍ତମାନ ସେ ସୁପ୍ରିମକୋର୍ଟର ବିଚାରପତି। ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରୁ ଏଲଏଲବି କରିବା ପରେ ହାଭାର୍ଡ ବିଶ୍ଵ ବିଦ୍ୟାଳୟରୁ ଏଲଏଲଏମ ଏବଂ ନ୍ୟାୟିକ ବିଜ୍ଞାନରେ ଡକ୍ଟରେଟ୍(ଏସଜେଡି) କରିଛନ୍ତି। ସେ ଅନେକ ଆଇନ ବିଦ୍ୟାଳୟ, ସଂସ୍ଥା ଏବଂ ବିଶ୍ଵ ବିଦ୍ୟାଳୟରେ ଶିକ୍ଷାଦାନ ଦେଇ ସାରିଛନ୍ତି। ସେ ଭାରତର ଅନେକ ନ୍ୟାୟାଳୟରେ ଆଇନଜୀବୀ ଭାବେ କାମ କରିଛନ୍ତି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜରାଟ ଏବଂ ପଶ୍ଚିମବଙ୍ଗ ଉଚ୍ଚ ନ୍ୟାୟାଳୟରେ ପ୍ରାକ୍ଟିସ୍ କରିଛନ୍ତି।

୧୯୯୮ରେ ବମ୍ବେ ଉଚ୍ଚ ନ୍ୟାୟାଳୟରେ ବରିଷ୍ଠ ଆଇନଜୀବୀ(ସିନିୟର ଆଡଭୋକେଟ୍) ଭାବେ ନାମିତ ହୋଇଥିଲେ। ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ଭାରତର ଅତିରିକ୍ତ ସଲିସିଟର ଜେନେରାଲ ଭାବେ କାମ କରିଛନ୍ତି। ସେ ବମ୍ବେ ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଏବଂ ୨୦୧୩ ଅକ୍ଟୋବରରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।

Get real time updates directly on you device, subscribe now.