fbpx

ହୋଲିରେ ବଢ଼ିବ ମହଙ୍ଗା ଭତ୍ତା! ଚାକିରିଆ ଓ ପେନସନଧାରୀଙ୍କୁ ବଡ଼ ଉପହାର ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିବାକୁ ଯାଉଛି । ଆସନ୍ତା ହୋଲି ପୂର୍ବରୁ କେନ୍ଦ୍ର ସରକାର ଚାକିରିଆ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିବାର ସମ୍ଭାବନା ରହିଛି । ଏବେ ଯଦି ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରନ୍ତି ତେବେ ଏହାଦ୍ୱାରା ୪୭ ଲକ୍ଷ କର୍ମଚାରୀ ଓ ୬୩ ଲକ୍ଷ ପେନସନଧାରୀ ଉପକୃତ ହେବେ । ଏହାଫଳରେ ମୋଟ ଡିଏ ୩୮ ପ୍ରତିଶତରୁ ବୃଦ୍ଧି ପାଇ ୪୨ ପ୍ରତିଶତରେ ପହଞ୍ଚିଯିବ ।

ତେବେ କମର୍ଚାରୀ ସଂଗଠନ ଅଧିକାରୀଙ୍କ ମୁତାବକ, ଏଥର ସରକାର ଡିଏ ଓ ଡିଅରନେସ ରିଲିଫ୍ (ଡିଆର) ବୃଦ୍ଧିରେ ବିଳମ୍ବ କରିବେ ନାହିଁ । କିଛି କାରଣକୁ ନେଇ ସରକାର ଚାପରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର କରୋନା ସମୟରୁ ଅଟକି ରହିଥିବା ୧୮ ମାସର ଡିଏ ଏରିଅର ପ୍ରଦାନ କରିନାହାନ୍ତି । ଅନ୍ୟପକ୍ଷରେ ପୁରୁଣା ପେନସନ ଲାଗୁ କରିବା ପାଇଁ କେନ୍ଦ୍ର କର୍ମଚାରୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି । ଏପରି ସ୍ଥଳେ କେନ୍ଦ୍ର ସରକାର ଡିଏ ଦର ବୃଦ୍ଧି ଘୋଷଣା କରିବାର ସମ୍ଭାବନା ରହିଛି ।

ବର୍ଷର ଜାନୁଆରୀ ଓ ଜୁଲାଇ ଦୁଇ ମାସରେ ମହଙ୍ଗା ଭତ୍ତା ବୃଦ୍ଧି କରିବାର ନିୟମ ରହିଛି । ମାତ୍ର କିଛି ବର୍ଷ ହେଲା ଭତ୍ତା ଜାରି କ୍ଷେତ୍ରରେ କିଛି ମାସ ବିଳମ୍ବ ହେଉଥିବା ଦେଖାଯାଉଛି । ଗତବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଡିଏ ୩୪ରୁ ୩୮ ପ୍ରତିଶତକୁ ବୃଦ୍ଧି ଘୋଷଣା କରାଯାଇଥିଲା । ସେହିପରି ସେପ୍ଟେମ୍ବର ମାସ ଶେଷରେ ଡିଏ ବଢ଼ିଥିଲା । ଅଲଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ ଫର ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ଡାଟା, ମହଙ୍ଗା ଭତ୍ତାକୁ ଦୃଷ୍ଟିରେ ରଖି ଡିଏ ୫ ପ୍ରତିଶତ ବୃଦ୍ଧି ଆଶା କରାଯାଉଥିଲା । ମାତ୍ର କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିଲେ ।

Get real time updates directly on you device, subscribe now.