fbpx

ଭୟଙ୍କର ୪୫ ମିନିଟ, ୨୯ ହଜାରରୁ ଅଧିକ ବଜ୍ରପାତ… ଥରିଉଠିଲା କୋରାପୁଟ ସହର

କୋରାପୁଟ: ଆଜି କୋରାପୁଟ ଦେଖିଛି ପ୍ରକୃତିର କରାଳ ରୂପ । ମାତ୍ର ୪୫ ମିନିଟ ସାରା ସହରବାସୀଙ୍କୁ ମୃତ୍ୟୁର ଚେହେରା ଦେଖାଇଦେଇଛି ଆକାଶ । ଏହି ୪୫ ମିନିଟର ପ୍ରତିଟି ମୁହୂର୍ତ୍ତ କୋରାପୁଟ ସହରକୁ ମୃତ୍ୟୁର ଖୁବ ନିକଟକୁ ନେଇ ଯାଇଥିଲା । ୪୫ ମିନିଟ ଭିତରେ କୋରାପୁଟରେ ୨୯,୨୫୮ ଥର ବଜ୍ରପାତ ହୋଇଛି । ପ୍ରତ୍ୟେକଟି ବଜ୍ରପାତ ମୃତ୍ୟୁର ରୂପ ନେଇ କୋରାପୁଟକୁ ଡରାଇ ଦେଇଛି । ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ୬ଟି ଘର ବଜ୍ରାଘାତରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସାରା ସହରବାସୀଙ୍କ ମନରେ ଆତଙ୍କ ଖେଳି ଯାଇଥିଲା ।

ଗ୍ରୀଷ୍ମଲହରୀରୁ ମୁକ୍ତ ହେବା ପାଇଁ ସାରା ଓନିଶା କଲବଲ ହେଉଥିଲା । କିନ୍ତୁ ତାତି କମିବା ମାତ୍ରେ ଭୟଙ୍କର ରୂପ ନେଇ ଆସିଛି ବଜ୍ରପାତ । ଆଜି କୋରାପୁଟ ସହରରେ ମାତ୍ର ୪୫ ମିନିଟ ଭିତରେ ୨୯,୨୫୮ ଥର ବଜ୍ରପାତ ସମସ୍ତଙ୍କୁ ଥରାଇ ଦେଇଛି । ଅପରାହ୍ନ ସାଢେ ୪ଟା ବେଳେ ପାଗ ହଠାତ ବଦଳିଯିବା ବେଳେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଏବଂ ଘଡ଼ଘଡ଼ି ମାଡ଼ି ଆସିଥିଲା । ପ୍ରାୟ ୧ ଘଣ୍ଟା ଧରି ଏଠାରେ ବର୍ଷା ହୋଇଥିବା ବେଳେ ୪୫ ମିନିଟ ଭିତରେ ୨୯,୨୫୮ ଥର ବଜ୍ରପାତ ହୋଇଥିବା ରେକର୍ଡ ହୋଇଛି । ଏହି ବଜ୍ରପାତ ପ୍ରଭାବରେ ବୋରିଗୁମ୍ମା ବ୍ଲକର ପ୍ରାୟ ୬ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ବୈପାରିଗୁଡ଼ା, ବୋରିଗୁମ୍ମା, କୋରାପୁଟ, ଲମତାପୁଟ, ଜୟପୁର, ସେମିଳିଗୁଡ଼ା, ନନ୍ଦପୁର ଏବଂ କୁନ୍ଦୁରା ବ୍ଲକରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି ।

ତେବେ ଗତ ୨ ବର୍ଷ ମଧ୍ୟରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ପାଣିପାଗ କେନ୍ଦ୍ର । ଗତବର୍ଷ ମାର୍ଚ୍ଚ ୬ ତାରିଖରେ କୋରାପୁଟରେ ୩୦ ମିନିଟ ମଧ୍ୟରେ ୩୭୬୨ ଥର ବଜ୍ରପାତ ରେକର୍ଡ କରାଯାଇଥିବା ବେଳେ ୭ ତାରିଖରେ ୨୫୭୩ ଥର ବଜ୍ରପାତ ହୋଇଛି । କିନ୍ତୁ ଆଜିର ବଜ୍ରପାତ ଗତବର୍ଷର ରେକର୍ଡକୁ ଅତିକ୍ରମ କରିଛି ।

Get real time updates directly on you device, subscribe now.