fbpx

ବାପାର ମର୍ଡର ପାଇଁ ହୀରାମୁଦିର ସୁପାରୀ ଦେଲା ଝିଅ: ଜାଣନ୍ତୁ ପୁରା ଘଟଣା

AAKASH

ନୂଆଦିଲ୍ଲୀ: ବାପା ଓ ଝିଅର ସମ୍ପର୍କ ସବୁବେଳେ ଭିନ୍ନ ଥାଏ । ବାପାମାନେ ନିଜ ଝିଅମାନଙ୍କୁ ଅତି ସ୍ନେହରେ ବଡ଼ କରିଥାନ୍ତି । କିନ୍ତୁ ସେହି ଝିଅ ଯଦି ବାପାର ହତ୍ୟା କରିବା ପାଇଁ ଯୋଜନା କରେ ତାହାଠାରୁ ନିନ୍ଦନୀୟ କଥା ଆଉ କଣ ବା ହୋଇପାରେ । ତେବେ ଜଣେ ଝିଅ ନିଜ ବାପାକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିବା ଘଟଣା ସାମ୍ନାକୁ ଆସିଛି । ସେହିପରି ଝିଅ ଜଣକ ହତ୍ୟାକାରୀକୁ ଏକ ହୀରାମୁଦି ଦେଇଥିବା ଜଣାପଡ଼ିଛି ।

ଝାଡ଼ଖଣ୍ଡର ସରାୟକେଲା ଜିଲ୍ଲାର ଆଦିତ୍ୟପୁର ଅଞ୍ଚଳର ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଗତ ଜୁନ ୨୯ରେ ପୂର୍ବତନ ବିଧାୟକ ଅରବିନ୍ଦ ସିଂଙ୍କ ସ୍ତ୍ରୀଙ୍କ ଭାଇ କହ୍ନେୟା ସିଂଙ୍କ ହତ୍ୟା ମାମଲାରେ ପୋଲିସକୁ ଏକ ବଡ଼ ତଥ୍ୟ ମିଳିଛି । ବ୍ୟବସାୟୀ କହ୍ନେୟା ସିଂଙ୍କ ହତ୍ୟା ମାମଲା ପ୍ରେମ ପ୍ରସଙ୍ଗ ଏବଂ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ହୋଇଥିବା ଏସ.ପି ଆନନ୍ଦ ପ୍ରକାଶ ଏବଂ ଏସ ଆଇ ଟି ଟିମର ଅଧ୍ୟକ୍ଷ ହରବିନ୍ଦର ସିଂ କହିଛନ୍ତି । ତେବେ କହ୍ନେୟା ସିଂଙ୍କ ଝିଅ ଅପର୍ଣ୍ଣା ନିଜ ପ୍ରେମିକ ରାଜବୀର ସିଂଙ୍କ ସହ ମିଶି ଏହି ହତ୍ୟାକାଣ୍ଡ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

ରାଜବୀର ସିଂ ଏବଂ ଅପର୍ଣ୍ଣା ସିଂଙ୍କ ପ୍ରେମ ପ୍ରସଙ୍ଗ ୫ ବର୍ଷ ପୁରୁଣା । ତେବେ କହ୍ନେୟା ସିଂ ଏହି ପ୍ରେମ ପ୍ରସଙ୍ଗର ସୂଚନା ପାଇବା ପରେ ରାଜବୀର ଏବଂ ତାଙ୍କ ପରିବାର ସହ ଗଣ୍ଡଗୋଳ କରିଥିଲେ । ମାମଲା ସଙ୍ଗୀନ ହେବାରୁ ରାଜବୀରଙ୍କ ପରିବାର ଲୋକ ପୈତୃକ ଘରକୁ ବିକ୍ରି କରି ଅନ୍ୟତ୍ର ଭଡ଼ାଘର ନେଇଥିଲେ । ଏସବୁ ଘଟଣାକୁ ନେଇ ରାଜବୀରଙ୍କ ମନରେ ଆସିଥିଲା ପ୍ରତିଶୋଧର ଭାବନା ।

ରାଜବୀର ନିଜ ପ୍ରେମିକା ଅପର୍ଣ୍ଣା ଓ ସାଙ୍ଗ ନିଖିଲ ଗୁପ୍ତାଙ୍କ ସହଯୋଗରେ ହତ୍ୟାକାଣ୍ଡ କରିଥିବା ଜଣାପଡ଼ିଛି । ହତ୍ୟା ଘଟଣାର ମୁଖ୍ୟ ସୂତ୍ରଧାର ମୃତକଙ୍କ ଝିଅ ନିଜ ବାପା କହ୍ନେୟାଙ୍କ ଲୋକେସନ ହତ୍ୟାକରୀମାନଙ୍କୁ ଦେଇଥିବା ଏସ.ପି କହିଛନ୍ତିି । ହତ୍ୟାକାଣ୍ଡ ୨୦ ଜୁନରେ କରିବାର ଯୋଜନା କରାଯାଇଥିଲେ ମଧ୍ୟ ଉପଯୁକ୍ତ ସମୟ ଓ ସ୍ଥାନ ନମିଳିବାରୁ ହତ୍ୟାକାଣ୍ଡ ହୋଇପାରି ନଥିଲା । ପରେ ଏହି ହତ୍ୟାକାଣ୍ଡ ୨୯ଜୁନ ରାତିରେ କରାଯାଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିଖିଲ ଗୁପ୍ତାଙ୍କୁ କହ୍ନେୟା ସିଂଙ୍କ ହତ୍ୟା କରିବା ପାଇଁ ସୁପାରୀ ହିସାବରେ ନଗଦ ୪ହଜାର ଟଙ୍କା ସହ ଏକ ହୀରାମୁଦି ରାଜବୀର ଓ ଅପର୍ଣ୍ଣା ଦେଇଥିବା ଜଣାପଡ଼ିଛି । ପୋଲିସ ସମ୍ପୃକ୍ତ ଘଟଣାରେ ୪ଜଣଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.