fbpx
BSKY
BJD SHG SKY
BJD MC SKY

ବିଦେଶରେ ପଢ଼ାଇବାକୁ ମନା କରିବାରୁ ପିତାମାତାଙ୍କ ବିରୁଦ୍ଧରେ ଥାନାରେ କେସ କଲେ ଝିଅ: ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ପ୍ରତ୍ୟେକ ପିତାମାତା ସେମାନଙ୍କ ପିଲାମାନଙ୍କୁ ଭଲ ସ୍କୁଲ ଏବଂ କଲେଜରେ ପାଠ ପଢ଼ାଇବାକୁ ଚାହିଁଥାନ୍ତି । ତେବେ ଯେଉଁମାନଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଥାଏ ସେମାନେ ନିଜ ପିଲାମାନଙ୍କୁ ବିଦେଶକୁ ପାଠ ପଢ଼ିବାକୁ ପଠାଇଥାନ୍ତି । କିନ୍ତୁ ଚୀନରୁ ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପିତା ମାତା ପାଠ ପଢ଼ିବାକୁ ବିଦେଶ ଯିବାକୁ ନଦେବାରୁ ବାପା ମା’ଙ୍କ ନାଁରେ ଝିଅ ଥାନାରେ ଅଭିଯୋଗ କରିଥିବା ଘଟଣା ସାମ୍ନାକୁ ଆସିଛି । ଏପରିକି ସେ କୋର୍ଟରେ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ଜେଜେମା’ଙ୍କ ଘର ବିକ୍ରି କରି ତାଙ୍କ ପାଠ ପଢ଼ା ପାଇଁ ଟଙ୍କା ଦେବା ଉଚିତ୍।

ରିପୋର୍ଟ ଅନୁଯାୟୀ, ଘଟଣାଟି ଘଟିଛି ଚାଇନାର ସାଂଘାଇ ସହରରେ। ୨୫ ବର୍ଷୀୟ ତିଆନ୍ କୋର୍ଟରେ ଦାବି କରିଛନ୍ତି ଯେ ସେ ଏବଂ ତାଙ୍କ ପିତାମାତା ବର୍ତ୍ତମାନ ରହୁଥିବା ଘର ସରକାର ତାଙ୍କ ଜେଜେମାଙ୍କୁ ଦେଇଛନ୍ତି। କାରଣ ସେମାନଙ୍କର ଜମି ସରକାର ଅଧିଗ୍ରହଣ କରିଥିଲେ। ଯେତେବେଳେ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ହେଲା, ତିଆନ୍‌ଙ୍କ ପିତାମାତା ସେମାନଙ୍କ ଝିଅର ନାମ ଘରର ରେଜିଷ୍ଟ୍ରି କାଗଜପତ୍ରରେ ଯୋଗ କରିଥିଲେ । ତେବେ ବୟସ ବଢ଼ିବା ସହିତ ତାଙ୍କ ଝିଅ ବିଦେଶରେ ପାଠପଢ଼ିବା ପାଇଁ ଜିଦ ଧରିଥିଲେ । କିନ୍ତୁ ଆର୍ଥିକ ସମସ୍ୟା କାରଣରୁ ପିତା ମାତା ବିଦେଶରେ ପାଠ ପଢ଼ିବା ପାଇଁ ଜିଅକୁ ମନା କରିଦେଇଥିଲେ ।

ଏହା ପରେ ତିଆନ୍ ତାଙ୍କ ପିତାମାତାଙ୍କୁ ଯାହା କହିଥିଲେ ତାହା ଶୁଣି ପିତାମାତା ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ତିଆନ ତାଙ୍କ ପାଠ ପଢ଼ା ପାଇଁ ପିତାମାତାଙ୍କୁ ଜେଜେ ମା’ଙ୍କ ଘର ବିକ୍ରି କରିଦେବାକୁ କହିଥିଲେ । ପିତାମାତା ପ୍ରଥମେ ମନା କରିଦେଇଥିଲେ, କିନ୍ତୁ ତିଆନ୍ ଜିଦ ଧରିବାରୁ ସେମାନେ ଘରକୁ ବିକ୍ରି କରିବାକୁ ରାଜି ହୋଇଥିଲେ । ତେବେ ଘର ବିକ୍ରିରେ ବିଳମ୍ବ ହେବା କାରଣରୁ ତିଆନ୍ କୋର୍ଟରେ ମାତାପିତାଙ୍କ ବିରୁଦ୍ଧରେ ମୋକଦ୍ଦମା ଦାୟର କରି ଦେଇଥିଲେ।

ବୃଦ୍ଧ ପିତାମାତାଙ୍କର ରହିବାକୁ କୌଣସି ସ୍ଥାନ ନଥିବା ସତ୍ତେ୍ୱ ତିଆନ ସେମାନଙ୍କ ଘରକୁ ବିକ୍ରି କରିବାକୁ ଚାହୁଁଥିଲେ । ପିତାମାତା କୋର୍ଟରେ କହିଛନ୍ତି ଯେ- ଆମେ ତା’ର ଶିକ୍ଷାରେ ବାଧା ସୃଷ୍ଟି କରିନାହୁଁ। ତା’ର ଉଚ୍ଚଶିକ୍ଷା ପାଇଁ ସେ ୭୦ ହଜାର ଡଲାର ଅର୍ଥାତ୍ ୫୮ ଲକ୍ଷ ଟଙ୍କା ଋଣ ନେଇଥିଲା। ଆମେ ସେସବୁର ଦେୟ ପୈଠ କରିଥିଲୁ । ଏହା ସତ୍ତେ୍ୱ ସେ ମାନିବାକୁ ରାଜି ନୁହେଁ ବୋଲି ପିତାମାତା କୋର୍ଟରେ କହିଥିଲେ ।

ଏହି ଯୁକ୍ତି ଶୁଣିବା ପରେ ସାଂଘାଇ ବାଓଶାନ ଲୋକ-ଅଦାଲତ ତିଆନଙ୍କ ମକଦ୍ଦମାକୁ ଖାରଜ କରିଦେଇଛନ୍ତି। ବର୍ତ୍ତମାନ ପରିବାର ଲୋକେ ଏକାଠି ଥିବା କାରଣରୁ ପିତାମାତା ସେହି ଘର ଖାଲି କରିବାକୁ ବାଧ୍ୟ ହୋଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ନିଜ ପିତାମାତାଙ୍କର ଯତ୍ନ ନେବା ପାଇଁ ଯଥେଷ୍ଟ ଯୋଗ୍ୟ ହେବା ଆବଶ୍ୟକ । ଚାଇନାର ଲୋକଙ୍କ ମଧ୍ୟରେ ଏହା ଏକ ପାରମ୍ପାରିକ ଗୁଣ ଭାବରେ ଚାଲିଆସିଛି ।

ତେବେ ଲୋକମାନେ ସୋସିଆଲ ମିଡିଆରେ ତିଆନଙ୍କୁ ଏଥିପାଇଁ ବେଶ ସମାଲୋଚନା କରିଥିଲେ । ଅନେକ ଲୋକ ତାଙ୍କୁ ସ୍ୱାର୍ଥପର ବୋଲି ମଧ୍ୟ କହିଥିଲେ। ଏହାପୂର୍ବରୁ ୨୦୧୯ ରେ ଏକ ସମାନ ମାମଲା ସାମ୍ନାକୁ ଆସିଥିଲା । ସାଂଘାଇ କୋର୍ଟ ଏକ ଯୁବତୀଙ୍କୁ ତୁରନ୍ତ ତାଙ୍କ ବୃଦ୍ଧ ପିତାଙ୍କ ଘରକୁ ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ।

Get real time updates directly on you device, subscribe now.