fbpx

ହାର୍ଦ୍ଦିକଙ୍କ ଉପରେ ଭାରୀ ପଡ଼ିବ ପରାଜୟ? ଏବେ ରୋହିତ ହିଁ ଭରସା! ପୁଣିଥରେ ଅଧିନାୟକ ଦାୟିତ୍ୱ ନେବେ ହିଟମ୍ୟାନ୍‌…

ଓଡ଼ିଶା ଭାସ୍କର: ଆଉ ଅଧିନାୟକ ରହିବେନି ହାର୍ଦ୍ଦିକ ପାଣ୍ଡ୍ୟା! ପୁଣିଥରେ ରୋହିତଙ୍କୁ ନେତୃତ୍ୱ ହସ୍ତାନ୍ତର କରିବେ ହାର୍ଦ୍ଦିକ! ଚେନ୍ନାଇ ବିପକ୍ଷ ମ୍ୟାଚ ହାର୍ଦ୍ଦିକଙ୍କ ଉପରେ ଭାରୀ ପଡ଼ିବ! ଏବେ ମୁମ୍ବାଇ ପାଇଁ ଏକମାତ୍ର ଭରସା ହେଉଛନ୍ତି ରୋହିତ ଶର୍ମା! ପୁଣି ମନ ବଦଳାଇବ କି ମୁମ୍ବାଇ ଇଣ୍ଡିଆନ୍ସ?

ଚେନ୍ନାଇ ବିପକ୍ଷ ମ୍ୟାଚରେ ଚିତପଟାଙ୍ଗ ମାରିଛି ମୁମ୍ବାଇ ଇଣ୍ଡିଆନ୍ସ । ପୂର୍ବ ଅଧିନାୟକ ରୋହିତ ଶର୍ମାଙ୍କ ଶତକ ବ୍ୟତୀତ ଦଳର କୌଣସି ଖେଳାଳି ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି । ଯାହା ଫଳରେ ମ୍ୟାଚକୁ ୨୦ ରନରେ ପରାସ୍ତ ହୋଇ ପଏଣ୍ଟ ଟେବୁଲର ୮ ନମ୍ବରରେ ପହଞ୍ଚି ଯାଇଛି ହାର୍ଦ୍ଦିକ ସେନା ନିଜ ଭୁଲ ପାଇଁ ପଶ୍‌ଚାତାପ କରୁଛି ମୁମ୍ବାଇ ଇଣ୍ଡିଆନ୍ସ । ରୋହିତଙ୍କ ହାତରୁ ନେତୃତ୍ୱ ଛଡ଼ାଇ ହାର୍ଦ୍ଦିକଙ୍କୁ ଅଧିନାୟକ ବାଛିବା ନିଷ୍ପତ୍ତି ଦଳ ପାଇଁ ଖୁବ ମହଙ୍ଗା ପଡ଼ିଛି । ୬ଟି ମ୍ୟାଚରୁ ୪ଟି ପରାଜୟ ବରଣ କରି ମୁମ୍ବାଇ ଏବେ ପ୍ଲେଅଫ୍ ପାଇଁ ସଂଘର୍ଷ କରୁଛି ।

ଏହାଭିତରେ ଚେନ୍ନାଇ ବିପକ୍ଷ ମ୍ୟାଚରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କିଛି ନିଷ୍ପତ୍ତିକୁ ନେଇ ଏବେ ପ୍ରଶ୍ନ ଉଠିଛି । ଅନେକ କ୍ରିକେଟ ବିଶେଷଜ୍ଞ ଏହାକୁ ନେଇ ଆଲୋଚନା-ସମାଲୋଚନା କରୁଛନ୍ତି । ବିଶେଷ କରି ଇନିଂସର ଶେଷ ଓଭରକୁ ନେଇ ହାର୍ଦ୍ଦିକଙ୍କୁ ଦୋଷୀ ବୋଲି କହିଛନ୍ତି ପୂର୍ବ ଭାରତୀୟ ଖେଳାଳି ସୁନୀଲ ଗାଭାସ୍କର ଏବଂ ଇରଫାନ୍ ପଠାନ୍ । ହାର୍ଦ୍ଦିକଙ୍କ ଏହି ଓଭରରୁ ଧୋନୀ ମାତ୍ର ୪ଟି ବଲ୍ ଖେଳିଥିବା ବେଳେ ଏଥିରୁ ୩ଟି ଛକା ମାରିଥିଲେ ଭିଣ୍ଟେଜ ମାହି । ତେବେ ଧୋନୀଙ୍କ କ୍ଷମତା ଏବଂ ଦକ୍ଷତା ଜାଣିବା ପରେ ମଧ୍ୟ ହାର୍ଦ୍ଦିକ ତାଙ୍କୁ ଲେନ୍ଥ ବଲ୍ ପକାଇବା ଖୁବ ସାଧାରଣ ନିଷ୍ପତ୍ତି ଥିଲା ବୋଲି କହିଛନ୍ତି ସୁନୀଲ । ହାର୍ଦ୍ଦିକ ନିଜ ୩ ଓଭରର ସ୍ପେଲରେ ୪୩ ରନ୍ ଖର୍ଚ୍ଚ କରିଛନ୍ତି । ଧୋନୀ ମାତ୍ର ୪ଟି ବଲରେ ୨୦ ରନ୍ କରିବାରେ ସକ୍ଷମ ହୋଇଛନ୍ତି ।

ତେବେ ଏହି ମ୍ୟାଚରେ ଏକ ମାତ୍ର ଖେଳାଳି ଭାବରେ ଲଢେଇ କରି ଶତକ ଅର୍ଜନ କରିଛନ୍ତି ରୋହିତ ଶର୍ମା । ଏହାବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟର ମଧ୍ୟ ଫେଲ ମାରିଛନ୍ତି । ବିଶେଷ କରି ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଏହି ହାଇ ସ୍କୋରିଙ୍ଗ ମ୍ୟାଚରେ ଦଳକୁ ନିରାଶ କରିଛନ୍ତି । ବୋଲିଂରେ ନିରାଶ କରିଥିବା ଅଧିନାୟକ ହାର୍ଦ୍ଦିକ ବ୍ୟାଟିଂରେ ମଧ୍ୟ ରୋହିତଙ୍କୁ ସହଯୋଗ କରିବାରେ ବିଫଳ ହୋଇଛନ୍ତି । ୬ ବଲରୁ ମାତ୍ର ୨ ରନ୍ କରି ପାଭିଲିୟନ ଫେରିଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଯାହା ଫଳରେ ୨୦ ରନରେ ମୁମ୍ବାଇ ଏହି ମ୍ୟାଚରେ ପରାସ୍ତ ହୋଇଛି ।

ଏହି ପରାଜୟ ସହିତ ସିଜନରେ ଚତୁର୍ଥ ପରାଜୟ ସହ ପଏଣ୍ଟ ଟେବୁଲରେ ୮ ନମ୍ବରରେ ପହଞ୍ଚିଛି ମୁମ୍ବାଇ । ଚେନ୍ନାଇ ବିପକ୍ଷ ପରାଜୟ ପରେ ମୁମ୍ବାଇ ପାଇଁ ପ୍ଲେଅଫ୍ ରାସ୍ତା ଆହୁରି କଷ୍ଟକର ହୋଇ ପଡ଼ିଛି । ପ୍ରତି ମ୍ୟାଚରେ ମୁମ୍ବାଇ ପ୍ଲେଅଫ୍ ଦୌଡ଼ରୁ ଦୂରେଇ ଯାଉଥିବା ଦେଖାଯାଉଛି । ଏବେ ଟିମ ମ୍ୟାନେଜମେଣ୍ଟ ଏବଂ ଫ୍ୟାନ୍ସମାନଙ୍କୁ ମନେ ପଡ଼ୁଛନ୍ତି ଅଧିନାୟକ ରୋହିତ ଶର୍ମା । ତେଣୁ ବର୍ତ୍ତମାନ ପୁଣିଥରେ ଏକ ବଡ଼ ନିଷ୍ପତ୍ତି ନେଇପାରେ ମୁମ୍ବାଇ । ହାର୍ଦ୍ଦିକ ପାଣ୍ଡ୍ୟାଙକୁ ନେତୃତ୍ୱ ପଦରୁ ହଟାଇ ପୁଣିଥରେ ରୋହିତଙ୍କୁ ଅଧିନାୟକ କରିବାକୁ ଦଳ ଇଚ୍ଛା କରିପାରେ । ମୁମ୍ବାଇର ଫ୍ୟାନ୍ସମାନେ ମଧ୍ୟ ରୋହିତଙ୍କୁ ଅଧିନାୟକ କରିବାକୁ ଦାବି କରିଛନ୍ତି । ବର୍ତ୍ତମାନ ଫ୍ରାଞ୍ଚାଇଜି କେଉଁ ନିଷ୍ପତ୍ତି ନେବ ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.