fbpx

ଜେଲରୁ ଚାଲିବ ଦିଲ୍ଲୀ ସରକାର: AAP ପକ୍ଷରୁ ଆସିଲା ବଡ଼ ବୟାନ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ଶେଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ଆକ୍ସନ ନେଇଛି । ଇଡି ଦ୍ୱାରା ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପ୍ରଥମେ ଇଡି ଅଧିକାରୀମାନେ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିବା ସହିତ ତାଙ୍କୁ ପଚରାଉଚରା କରିଥିଲେ ଓ ତା’ପରେ ତାଙ୍କର ଫୋନ ଜବତ କରିଥିଲେ । ସେହି ସମୟରେ ଆମ୍ ଆଦମୀ ପାର୍ଟି (ଆପ)ର କୌଣସି ମନ୍ତ୍ରୀଙ୍କୁ କେଜ୍ରିୱାଲଙ୍କ ଘର ଭିତରକୁ ଯିବାକୁ ଅନୁମତି ଦିଆଯାଇ ନଥିଲା ।

ତେବେ ଗିରଫ ହେବା ପରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ନା ସେନେଇ ଏବେ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି । ପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତା ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଗିରଫ ହେବା ପରେ ଜଣେ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଭାରତୀୟ ସମ୍ବିଧାନରେ କୌଣସି ସ୍ଥାନରେ ଲେଖାଯାଇ ନାହିଁ । ତେବେ ଏପରି ସ୍ଥିତିରେ କେଜ୍ରିୱାଲ କି ପଦକ୍ଷେପ ନେବେ ତା’ ଉପରେ ଏବେ ସଭିଙ୍କ ନଜର ।

ତେବେ ଏହା ମଧ୍ୟରେ ଆମ୍ ଆଦମୀ ପାର୍ଟି (ଆପ) ପକ୍ଷରୁ ଆସିଛି ଏକ ବଡ଼ ବୟାନ । କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ । ଜେଲରେ ରହି ସେ ସରକାର ଚଳାଇବେ ବୋଲି କୁହାଯାଇଛି । ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଜଣେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ବିଧାୟକ ଜେଲରେ ଥାଇ ସରକାର ଚଳାଇ ପାରିବେ ବୋଲି ସମ୍ବିଧାନରେ ନିୟମ ରହିଛି । ସେହିପରି ଯଦି ଦଳର ସମସ୍ତ ନେତା ଜେଲକୁ ଚାଲିଯାଆନ୍ତି ତେବେ ସରକାର ଜେଲରୁ ଚାଲିବ ବୋଲି ଦଳର ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି । କେଜ୍ରିୱାଲଙ୍କ ଗିରଫଦାରୀ ପୂର୍ବରୁ ଏନେଇ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋଏଲ ମଧ୍ୟ ସମାନ ବୟାନ ଦେଇଥିଲେ ।

Get real time updates directly on you device, subscribe now.