ବଢ଼ିଲା ଆତିଶୀଙ୍କ ଅଡ଼ୁଆ, ମାନହାନୀ ମାମଲାରେ ହାଇକୋର୍ଟ ଜାରି କଲା ନୋଟିସ୍

ଦିଲ୍ଲୀ ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଆତିଶୀଙ୍କୁ ହାଇକୋର୍ଟ ନୋଟିସ୍ । ବିଜେପି ଆପ୍ ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରିଥିଲା ବୋଲି ଅଭିଯୋଗ କରିଥିଲେ ଆତିଶୀ । ଏନେଇ ବିଜେପି ନେତା ଆତିଶୀଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଥିଲେ ।

ନୂଆଦିଲ୍ଲୀ: ପୁଣି ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଅଡ଼ୁଆ । ମାନହାନୀ ମାମଲାରେ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ନୋଟିସ୍ ଜାରି କରିଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆତିଶୀଙ୍କୁ ନୋଟିସ୍ ଜାରି ହେବା ବର୍ତ୍ତମାନ ଦିଲ୍ଲୀ ରାଜନୈତିକ ମାହୋଲରେ ହଲଚଲ ସୃଷ୍ଟି କରିଛି ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ୩୦ ଏପ୍ରିଲରେ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ବିକାଶ ମହାଜନ ।

ମାମଲା କ’ଣ: ବିଜେପି ନେତା ପ୍ରବୀଣ ଶଙ୍କରଙ୍କ ଅଭିଯୋଗ ଅନୁଯାୟୀ ୨୭ ଜାନୁଆରୀ ଏବଂ ୨ ଏପ୍ରିଲ ୨୦୨୪ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆତିଶୀ ବିଜେପି ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଥିଲେ ।

ଆତିଶୀଙ୍କ ବିରୁଦ୍ଧରେ ଜାରି ହୋଇଥିବା ଟ୍ରାଏଲ କୋର୍ଟର ସମନକୁ ରଦ୍ଦ କରିଥିଲା ସେସନ୍ସ କୋର୍ଟ । ଏହା ପରେ ସେସନ୍ସ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ବିଜେପି ନେତା ପ୍ରବୀଣ ଶଙ୍କର ।

ସେ କହିଥିଲେ କି ବିଜେପି ଆପ୍ ବିଧାୟକଙ୍କ ସହ ଯୋଗାଯୋଗ କରୁଛି ଏବଂ ଦଳବଦଳ ପାଇଁ ୨୦-୨୫ କୋଟି ଟଙ୍କା ଲାଞ୍ଚ ପ୍ରଦାନ କରିବା ପାଇଁ ପ୍ରୟାସ କରିଥିଲା ।

ଆଚରଣ ବିଧି ଉଲଂଘନ: ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିଲା କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ଦଳର କର୍ମୀମାନେ ପ୍ରଚାର କରୁଥିବା ଦେଖାଦେଇଥିଲା ।

ଫଳରେ ଅନେକ ସ୍ଥାନ ବିଶେଷ କରି କାଲକାଜୀରେ ହଙ୍ଗାମା ହୋଇଥିଲା ।

ଏହା ପରେ ଗୋବିନ୍ଦପୁର ପୋଲିସ ଆଚରଣ ବିଧି ଉଲଂଘନ କରିବା ଅଭିଯୋଗରେ ଆତିଶୀ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।