fbpx

Delhi MCD Polls: ଜାଣନ୍ତୁ କେଉଁ ନେତାଙ୍କ କହିବାନୁସାରେ ରୋଡ୍ ଶୋ ପାଇଁ ଦିଲ୍ଲୀ ଆସିଥିଲେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ନଗର ନିଗମ ନିର୍ବାଚନରେ ପ୍ରଚାର ଶୈଳୀ  ପରି ବିଜେପି ଏଥର ଦିଲ୍ଲୀ ନଗର ନିଗମ ନିର୍ବାଚନରେ ବି ନିଜର ବରିଷ୍ଠ ନେତାଙ୍କୁ ମଇଦାନକୁ ଓହ୍ଲାଇଛି। ବିଜେପିର ଶୀର୍ଷ ନେତୃତ୍ଵ ଦେଶର ରାଜଧାନୀରେ ନଗର ନିଗମ କ୍ଷମତା ବଜାୟ ରଖିବା ପାଇଁ ନିଜର ସମସ୍ତ ଶକ୍ତି ଖଟାଇବାକୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ଦିଲ୍ଲୀ ନଗର ନିଗମ ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀ। ବଡ ପ୍ରଶ୍ନ ଏହା ଯେ, ବିଜେପିର ଏହି ପ୍ରଭାବଶାଳୀ ରଣନୀତି ପଛରେ କିଏ ରହିଛି ?

ବିଜେପି ରୋଡ୍ ଶୋରେ ଗୋଟିଏ ଦିନରେ ଆସିଲେ ଚାରି ମୁଖ୍ୟମନ୍ତ୍ରୀ
ହାଇଦ୍ରାବାଦ ନଗରପାଳିକା ନିର୍ବାଚନରେ ବିଜେପିର ବଡ ବଡ ନେତା ମଇଦାନକୁ ଓହ୍ଲାଇଥିଲେ। ଆଉ ଏହି ରଣନୀତିକୁ ଦିଲ୍ଲୀ ନଗର ନିଗମରେ ଦୋହରାଇବାକୁ ନିଷ୍ପତ୍ତି ହୋଇଥିଲା। ଦ୍ଵିତୀୟ ଥର ସ୍ଥାନୀୟ ନଗର ନିଗମ ନିର୍ବାଚନରେ ବିଜେପି ଏତେ ବଡ ବଡ ଚେହେରାଙ୍କୁ ନିର୍ବାଚନରେ ନିୟୋଜିତ କରିଥିଲା। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା, ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦିଲ୍ଲୀରେ ରବିବାର ଆୟୋଜିତ ବିଜେପିର ରୋଡ୍ ଶୋରେ ଯୋଗ ଦେଇଥିଲେ।

ରଣନୀତି ପଛରେ ବୈଜୟନ୍ତଙ୍କ ହାତ
ଦିଲ୍ଲୀର ଏମସିଡି ନିର୍ବାଚନରେ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ରୋଡ୍ ଶୋରେ ସାମିଲ୍ କରାଇବା ପଛରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ରଣନୀତି ରହିଛି। ଏହାର ସମସ୍ତ ଶ୍ରେୟ ତାଙ୍କୁ ଦିଆଯାଉଛି। ବୈଜୟନ୍ତ ପଣ୍ଡା ବିଜେପିର ମୁଖ୍ୟମନ୍ତ୍ରୀମାନଙ୍କ ସହ ମଧୁର ସଂପର୍କ ରହିଛି। ଏହି କାରଣରୁ ଏକ ସଙ୍ଗେ ଚାରି ମୁଖ୍ୟମନ୍ତ୍ରୀ ଏମସିଡି ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। ବୈଜୟନ୍ତଙ୍କ ଏହି ରଣନୀତି ପାର୍ଟିର ପ୍ରଭାବଶାଳୀ  ପ୍ରଦର୍ଶନ କରିବାରେ ସହାୟକ ହୋଇଛି। ପୂର୍ବରୁ ବୈଜୟନ୍ତ ପଣ୍ଡା ଆସାମର ରାଜ୍ୟ ପ୍ରଭାରୀ ରହି ସାରିଛନ୍ତି। ବର୍ତ୍ତମାନ ବୈଜୟନ୍ତ ପଣ୍ଡା ଦିଲ୍ଲୀର ବିଜେପି ପ୍ରଭାରୀ ଦାୟିତ୍ଵରେ ଅଛନ୍ତି। ସେ ଦିଲ୍ଲୀ ଆସିବା ପାଇଁ ଚାରି ମୁଖ୍ୟମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ଯୋଗାଯୋଗ କରିଥିଲେ। ଆଉ ତାଙ୍କ କଥାକୁ ଅବା କେମିତି ଏଡାଇ ପାରିଥାନ୍ତେ ମୁଖ୍ୟମନ୍ତ୍ରୀଗଣ।

ଦିଲ୍ଲୀ ନଗର ନିଗମ ନିର୍ବାଚନରେ ମୋଟ୍ ୧୩୪୯ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଏଥିରୁ ୭୦୯ ପ୍ରାର୍ଥୀ ମହିଳା ଏବଂ ୬୪୦ ହେଉଛନ୍ତି ପୁରୁଷ ପ୍ରାର୍ଥୀ। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ମୋଟ୍ ୨୫୮୫ ପ୍ରାର୍ଥୀ ଦିଲ୍ଲୀ ନଗର ନିଗମ ନିର୍ବାଚନରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ୧୧୬୯ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିଲା।

Get real time updates directly on you device, subscribe now.