fbpx

ଜାତୀୟ କୃମିନାଶକ ଦିବସ ଅବସରରେ ରାଜ୍ୟରେ ଆରମ୍ଭ ହେଲା କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟର ୧୯ଟି ଜିଲ୍ଲାରେ ଜାତୀୟ କୃମିନାଶକ ଦିବସ ଅବସରରେ ଆଜିଠାରୁ କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ ସ୍ୱାସ୍ଥ୍ୟ ପାଇଁ କୃମିନାଶକ ବଟିକାର ଆବଶ୍ୟକତା ସମ୍ପର୍କରେ ଛାତ୍ରୀମାନଙ୍କୁ ବୁଝାଇଥିଲେ ।

ନବରଙ୍ଗପୁର ଜିଲ୍ଲାରେ ୧ ହଜାର ୯୨୬ଟି ବିଦ୍ୟାଳୟ ଓ ୨ ହଜାର ୨୭୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ କୃମିନାଶକ ବଟିକା ଦିଆଯାଉଛି । ସେହିଭଳି ରାଜ୍ୟର ୧୧ଟି ଜିଲ୍ଲାରେ ଆଜିଠାରୁ ଲିମ୍ଫାଟିକ୍‍ ଫାଇଲେରିଆସିସ୍‍ର ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅନୁଗୁଳ, ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି । ଗର୍ଭବତୀ, ୨ ବର୍ଷରୁ କମ୍‍ ବୟସ୍କର ଶିଶୁ, ବିଗତ ଏକ ସପ୍ତାହ ମଧ୍ୟରେ ସନ୍ତାନ ପ୍ରସବ କରିଥିବା ମହିଳା ଏବଂ ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଏହି ଔଷଧ ସେବନ ନ କରିବା ପାଇଁ ପରାମର୍ଶ ଦିଆଯାଉଛି ।

ଫାଇଲେରିଆ ରୋଗର ନିୟନ୍ତ୍ରଣ ଏବଂ ନିରାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ସାମୂହିକ ଔଷଧ ସେବନ ଅଭିଯାନ ଅନୁଷ୍ଠିତ ହୋଇଛି । ଶତପ୍ରତିଶତ ଔଷଧ ସେବନକୁ ସଫଳ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ସଫଳ ଓ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଯୋଜନା ପ୍ରସ୍ତୁତ କରିବା ପାଇଁ ଆଗାମୀ ଦିନରେ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବାକୁ ଆହ୍ୱାନ ଦିଆଯାଇଛି । ଢେଙ୍କାନାଳ ଜିଲ୍ଲାରେ ୬ଟି ବ୍ଲକରେ ସାମୂହିକ ଔଷଧ ସେବନ ଫାଇଲେରିଆ ନିରାକରଣ ପାଇଁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଆରମ୍ଭ କରିଛନ୍ତି । ସରକାର ଏହି ବାବଦରେ ଦଶ ଦିନ ମଧ୍ୟରେ ୫୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଅଶୋକ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.