fbpx

ମେସିନ୍ ଯୁଗରେ ଲିଭିଗଲାଣି ଆଗକାଳରେ ବ୍ୟବହାର୍ଯ୍ୟ, ନା ଅଛି ଢ଼ିଙ୍କି ନା ଶୁଭୁଛି ଆଉ ଢିକ୍ ଢିକ୍

କୋକସରା(ଭାସ୍କର ନ୍ୟୁଜ୍): ସମୟ ବଦଳିବା ସହିତ ଯୁଗର ମଧ୍ୟ ପରିବର୍ତ୍ତନ ହେଉଛି । ବୈଜ୍ଞାନିକ ଯୁଗରେ ମେସିନ୍ ର ବ୍ୟବହାର ବହୁଳ ଭାବରେ ହେଉଥିବାବେଳେ ଆଗକାଳରେ ବ୍ୟବହାର୍ଯ୍ୟ କରାଯାଉଥିବା ଅନେକ ଜିନିଷ ଏବେ ଲୋପ ପାଇବାକୁ ବସିଲାଣି । ତା’ ଭିତରୁ ଢିଙ୍କି ଅନ୍ୟତମ ଅଟେ । ଢିଙ୍କି ମାଧ୍ୟମରେ ଯେଉଁ ଚାଉଳ କରାଯାଉଥିଲା ସେଥିରେ ଅନେକ ପରିମାଣରେ ପୋଷକତତ୍ତ୍ୱ ରହୁଥିଲା ଓ ସୁସ୍ୱାଦ ଲଗୁଥିଲା । ଧାନକଳରେ କୁଟା ଯାଉଥିବା ଚାଉଳରେ ସେ ସବୁ ସ୍ୱାଦ ଆଉ ରହୁନାହିଁ ।

ପୂର୍ବକାଳରେ ବହୁଳ ଭାବରେ ଢିଙ୍କିର ବ୍ୟବହାର କରାଯାଉଥିଲା । କିନ୍ତୁ ଧାନକଳ ଆସିବାରୁ ଏବେ ଧିରେଧିରେ ଢିଙ୍କିର ବ୍ୟବହାର କମି ଗଲାଣି, ଆଉ ଢିଙ୍କି ମଧ୍ୟ ଦେଖିବାକୁ ମିଳୁନାହିଁ । ଧାନକଳ ଦ୍ୱାରା ଚାଉଳ କରିବା ପାଇଁ ଲୋକମାନଙ୍କୁ ଅଧିକ ସମୟ ଅପଚୟ ଓ ପରିଶ୍ରମ କରିବାକୁ ପଡୁନାହିଁ । ପୂର୍ବ କାଳରେ ଧାନକଳ ନ ଥିବାରୁ ଢ଼ିଙ୍କିର ଆଦର ରହିଥିଲା । କିନ୍ତୁଏବେ ଧାନକଳରେ ଧାନ କୁଟିବା ସିଖିଲା ପରେ ଲୋକେ ଢିଙ୍କିର ବ୍ୟବହାର ବନ୍ଦ କରିବାରୁ ତାହା ଏବେ ଲୋପପାଇବାକୁ ବସିଲାଣି ।

ପାହାଡିଆ ଅଞ୍ଚଳରେ ବସବାସ କରୁଥିବା କିଛି ଆଦିବାସୀ ପରିବାର ଏବଂ ଗାଁ ଗହଳିରେ କାଁ ଭାଁ କିଛି ଘରେ ଢିଙ୍କି ଦେଖିବାକୁ ମିଳୁଛି । ଏବେ ଢିଙ୍କିର ଢିକ୍ ଢିକ୍ ଶବ୍ଦ ଶୁଭୁ ନ ଥିବାବେଳେ ଢିଙ୍କି କୁଟା ଚାଉଲ ମଧ୍ୟ ସ୍ୱପ୍ନ ହୋଇପଡିଛି । ପୂର୍ବରେ ଯେଉଁ ଢିଙ୍କି କୁଟା ଚାଉଳ ମିଲୁଥିଲା ସେହି ଚାଉଳ କୁ ଲୋକେ ଖାଇ ତୃପ୍ତି ଅନୁଭବ କରୁଥିଲେ । ସେହି ଖାଦ୍ୟ ସ୍ୱାଦଯୁକ୍ତ ଥିବାବେଳେ ସେହି ଖାଦ୍ୟ ଏବେ ଲୋକେ ପାଇପାରୁ ନାହଁନ୍ତି ।

ଢିଙ୍କି କୁଟା ସମୟରେ ମହିଳାମାନେ ଏକାଠି ବସି ଢିଙ୍କି କୁଟା କାଯକରିବା ସହିତ ସେମାନଙ୍କ ମଧ୍ୟରେ ଅନେକ ପ୍ରକାର ଆଲାପ ଆଲୋଚନା ହେବା ଦ୍ୱାରା ମହିଳାମାନଙ୍କ ମଧ୍ୟରେ ନିବିଡତା ବାନ୍ଧିହୋଇ ଯାଉଥିଲା । ଏଥି ସହ ଶାରୀରିକ ବ୍ୟାୟମ ଭାବେ ମଧ୍ୟ ଢିଙ୍କିଟି ମହିଳାମାନଙ୍କୁ ସାହାର୍ଯ୍ୟ କରୁଥିଲା । ଢିଙ୍କିରେ କେବଳ ଧାନରୁ ଚାଉଳ କୁଟା ହେଉଥିଲା ତାହା ନୁହେଁ, ଢିଙ୍କିରେ ଚାଉଳକୁ ମଧ୍ୟ ଗୁଣ୍ଡକରି ଚୁନା ପ୍ରସ୍ତୁତ କରାଯାଉଥିଲା । ସହି ଚାଉଳ ଚୁନାରେ ନାନାଦି ପ୍ରକାର ପିଠା ପଣା ଭଲି ଅନେକ ବ୍ୟଞ୍ଜନ ତିଆରି କରାଯାଉଥିଲା, ଯାହାକି ଖାଇଲା ପରେ ମନ ଭରି ଉଠୁଥିଲା । କିନ୍ତୁ ଏବେ ଆଉ ସେଭଲି ଖାଦ୍ୟ ମିଲିପାରୁ ନାହିଁ ।

ମହିଳାମାନେ ଢିଙ୍କି ଶାଳରେ ଏକାଠି ହୋଇ ଭାବ ବିନିମୟର ଆଦାନ ପ୍ରଦାନ କରୁଥିବାବେଳେ ଗାଁର ଢିଙ୍କି ଶାଳ ଏକ ମହିଳାମାନଙ୍କ ପାଇଁ ଭାବ ବିନିମୟର ଏକ ମାଧ୍ୟମ ପାଲଟିଥିଲା । ଏବେ ଆଉ ସେହି ଢିଙ୍କି ଶାଳର ଢିଙ୍କି କୁଟା ଶଦ୍ଦ ଶୁଣିବାକୁ ମିଳୁନାହିଁ । ଗାଁ ଗହଳିର କିଛି ସର୍ବ ପୂରାତନ ପରିବାର ପାଖରେ ଏହି ଢିଙ୍କି ରହିଯାଇଥିବା ବେଳେ ଆଗମୀ ଦିନରେ କେବଳ କାଗଜ ଚିତ୍ରରେ ହିଁ ଦେଖିବାକୁ ମିଳିବ ।

Get real time updates directly on you device, subscribe now.