ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଟି-୨୦ର ମହାସମର । ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ମୁକାବିଲାରେ ପରସ୍ପରକୁ ସାମ୍ନା କରିଥିଲେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ । ଟସ୍ ଜିତି ନାଇଟ ରାଇଡର୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ବ୍ୟାଟିଂ ବିପର୍ଯ୍ୟୟ ସହିତ ମାତ୍ର ୧୩୧ରନ ସଂଗ୍ରହ କରିଥିଲା । ଉଭୟ ଦଳ ପକ୍ଷରୁ ଜାଡେଜା ଏବଂ ଆୟର ଅଧିନାୟକତ୍ୱ ପଦାର୍ପଣ କରିଥିଲେ ।
ଶ୍ରେୟସ୍ ଆୟର ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଉମେଶ ଯାଦବ ଚମକ୍ରାର ବୋଲିଂ କରିଥିଲେ । ଯାଦବ ପାୱାର ପ୍ଲେରେ ଦୁଇଟି ୱିକେଟ ନେବା ସହିତ ଚେନ୍ନାଇର ରନ ଗତି ଉପରେ ଅଙ୍ଗୁଣ ଲଗାଇଥିଲେ । ପାୱାର ପ୍ଲେରେ ୩୫ ରନ କରି ଦୁଇଟି ୱିକେଟ ହରାଇଥିଲା । ଦୁଇ ଓପ୍ନର ଡେଭନ୍ କନୱେ(୩) ଏବୁଂ ଋତୁରାଜ ଗାଏକ୍ୱାଡ(୦) ବିଫଳ ହୋଇଥିଲେ । ୨୧ ବଲ ଖେଳି ରବିନ ଉତ୍ଥାପ୍ପା ୨ଟି ଲେଖାଏଁ ଛକା ଓ ଚୌକା ସହିତ ୨୮ ରନ କରି ଆଉଟ ହୋଇଥିଲେ । ଦଳ ମାତ୍ର ୬୧ ରନରେ ୫ୱିକେଟ ହରାଇଥିବା ବେଳେ ଜାଡେଜାଙ୍କ ସହିତ ଯୋଗ ଦେଇଥିଲେ ମହେନ୍ଦ୍ର ସିଂ ଧୋନୀ । ନିଜର ଶେଷ ସିଜିନ୍ ଖେଳୁଥିବା ଧୋନୀ ଚମକ୍ରାର ବ୍ୟାଟିଂ କରିବା ସହିତ ମାତ୍ର ୩୮ ବଲରୁ ୫୦ ରନ କରିଥିଲେ । ଏହି ଇନିଂସରେ ୭ ଚୌକା ଓ ୧ ଛକା ସାମିଲ ଥିଲା । ଅଧିନାୟକ ରବୀନ୍ଦ୍ର ଜାଡେଜା ୨୮ ବଲ ଖେଳି ଗୋଟିଏ ଛକା ସହିତ ୨୬ ରନ କରିଥିଲେ । ଉଭୟଙ୍କ ଇନିଂସ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ୫ୱିକେଟ ବିନିମୟରେ ୧୩୧ ରନ କରିଥିଲା । ଉମେଶ ଯାଦବ ୨୦ ରନରେ ୨ଟି ୱିକେଟ ନେଇଥିବା ବେଳେ ବେଳେ ବରୁଣ ଚକ୍ରବର୍ତ୍ତୀ ଏବଂ ରସେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।