ହାତରେ ଡାଏରୀ ଓ କଲମ…ପରିଣତ ବୟସରେ ସ୍ତ୍ରୀ ପାଇଁ ଲେଖୁଛନ୍ତି ମିଠା ମିଠା କବିତା

କାକଟପୁର: ସକାଳ ଓ ସନ୍ଧ୍ୟା ଯେପରି ପ୍ରକୃତିର ଦୁଇ ସାଥି ସେହିପରି କବି ଓ କବିତାର ସମ୍ପର୍କ । ଜଣେ କବି ତା’ର ଜୀବନ କବିତା ବିନା କଳ୍ପନା କରିପାରେ ନାହିଁ । ଆଜି ଆମେ କଥା ହେବା ଏପରି ଜଣେ ବଣମଲ୍ଲୀ ବିଷୟରେ ଯାହାଙ୍କ ପ୍ରତିଭା ଆଗରେ ହାର ମାନିଛି ବାର୍ଦ୍ଧକ୍ୟ । କାକଟପୁର ବ୍ଲକ ଜଳେଶ୍ୱରପଡ଼ା ପଞ୍ଚାୟତ ବାଁବରଡ଼ା ଗ୍ରାମର ୭୪ ବର୍ଷର ବୃଦ୍ଧ ନରହରି ମଲ୍ଲ । ସେ ଜଣେ ଆଶାକବି ଯାହାଙ୍କ କବିତା ଲେଖା ଓ ପାଠ ଉଭୟ ତାଙ୍କ ଗ୍ରାମରେ ହିଁ ଆଦୃତ ହେଉଛି ।

ବୟସର ଅପରାହ୍ନରେ ଚର୍ମ ଧୁଡୁ ଧୁଡୁ ହେଲାଣି । ରୋଜଗାର କହିଲେ ଗାଁ ତିନି ଛକରେ କେବଳ ଗୋଟେ ପାନ ଦୋକାନ । କିନ୍ତୁ ନିଶା କବିତା ଲେଖିବା । ପ୍ରେମ ଓ ଭଲପାଇବାର ଚରିତ୍ର, ଶିକ୍ଷା ଓ ଗ୍ରାମ ପରିବେଶକୁ ନେଇ ଲେଖି ଚାଲିଛନ୍ତି କବିତା ପରେ କବିତା । ବାର୍ଦ୍ଧକ୍ୟରେ ବି ଅଟକିନି ତାଙ୍କର କଲମ ମୁନ । ଆଜିବି ତାଙ୍କ କଣ୍ଠରୁ ଝରି ଆସୁଛି ସ୍ୱରର ମାଧୁର୍ୟ୍ୟ । ନରହରି ମଉସାଙ୍କୁ ଯେତେବେଳେ ବି ସମୟ ମିଳେ ସେ ଖାତା କଲମ ଧରି ବସିଯାନ୍ତି । ଲେଖିଚାଲନ୍ତି କବିତା, ସତେ ଯେପରି ମା ସରସ୍ୱତୀ ସ୍ୱୟଂ ତାଙ୍କ କଣ୍ଠରେ ବିରାଜମାନ ।

ନରହରି କୁହନ୍ତି ବାଲ୍ୟ ବିବାହ ସମୟରେ ତାଙ୍କ ଧର୍ମପତ୍ନୀ ଶଶୁର ଘରକୁ ବୁଲିବାକୁ ଯାଇଥିଲେ । ଦିନେ ନରହରି ଙ୍କ ଭଲ ମନ୍ଦ ବୁଝିବା ପାଇଁ ତାଙ୍କ ପତ୍ନୀ ଚିଠି ପଠେଇଥିଲେ ଆଉ ସେହି ଚିଠିର ଉତ୍ତରରେ ନରହରି ତାଙ୍କ ପତ୍ନୀଙ୍କ ଉଦ୍ଧେଶ୍ୟରେ ପ୍ରଥମ ପ୍ରେମ ପତ୍ର କବିତା ଲେଖି ଦେଇଥିଲେ । ତାଙ୍କ ଧର୍ମପତ୍ନୀ ସେହି ପ୍ରେମ କବିତାକୁ ବହୁତ ପସନ୍ଦ କରିଥିଲେ । ସେହି ଦିନଠାରୁ ନରହରି କବିତା ଲେଖୁଛନ୍ତି । ଗାଁ ଯାତ୍ରା, ମହୋତ୍ସବ, କୌଣସି କାର୍ଯ୍ୟକ୍ରମ ଆସିଲେ ଗ୍ରାମବାସୀ ଖୋଜନ୍ତି ନରହରି ମଲ୍ଲଙ୍କୁ । ସେଠି ସେ ନିଜ ଲେଖା କବିତାକୁ ଆବୃତ୍ତ କରନ୍ତି । ନିଜ ଗ୍ରାମ ବିଦ୍ୟାଳୟରେ ଯେତେବେଳେ ପିଲା ମାନଙ୍କ ଟିଫିନ ସମୟ ଥାଏ ନରହରି ମଉସା ବିଦ୍ୟାଳୟକୁ ଯାଇ ତାଙ୍କୁ କବିତା ପାଠ କରି ଶୁଣାନ୍ତି । ସମାଜରେ ଶିକ୍ଷାର ଆବଶ୍ୟକ କ’ଣ । ଶିକ୍ଷା ଦ୍ୱାରା ଛାତ୍ର ସମାଜ କିପରି ନିଜକୁ ସଫଳ ନାଗରିକ ଭାବେ ଗଢିତୋଳିବେ, ଏହିଭଳି ଅନେକ ଶିକ୍ଷଣୀୟ କବିତା ପାଠ କରି ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ନୀତିଶିକ୍ଷା । ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚଶହରୁ ଅଧିକ କବିତା ଲେଖିଛନ୍ତି ନରହରି । କିନ୍ତୁ କେବେ ଲୋକଲୋଚନକୁ ଆସିନାହାନ୍ତି କି କୌଣସି ପ୍ରତିଭା ସମ୍ମାନରେ ସମ୍ମାନିତ ବି ହୋଇନାହାନ୍ତି । ସେହିଭଳି କୌଣସି ଆଶା ନାହିଁ କିନ୍ତୁ ନିଶା ଅଛି କବିତା ଲେଖି ଗାଇବା । ଉଦ୍ଦେଶ୍ୟ ସମାଜରେ ନୀତି ଆଦର୍ଶ ରେ ପରିବର୍ତ୍ତନ କରିବା ଓ କବିତା ମାଧ୍ୟମରେ ଶିକ୍ଷା ଦେବା । ଗ୍ରାମବାସୀ କୁହନ୍ତି ଯଦି ସରକାର ଏହିଭଳି ବୃଦ୍ଧ ଆଶା କବିଙ୍କୁ ଟିକେ ଦୃଷ୍ଟି ଦିଅନ୍ତେ ତାହେଲେ ଆଗାମୀ ଦିନରେ ନରହରିଙ୍କ କବିତା କେଉଁ ପରଦାରେ ଦେଖିବାକୁ ମିଳିବ ନଚେତ କେଉଁ କାଗଜ ପୃଷ୍ଠାରେ ସ୍ଥାନ ପାଇବ ଯାହା ଗ୍ରାମ ପାଇଁ ଓ ନରହରିଙ୍କ ପାଇଁ ସୌଭାଗ୍ୟର ଦିନ ହେବ ।