fbpx

DIG ବ୍ରିଜେଶ ରାୟଙ୍କ ଟ୍ରାନ୍ସଫର: ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା ହୋମଗାର୍ଡ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିବା ଓ ଦୁଇଟି ଗୋଡ଼ ହରାଇବାକୁ ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ରାଜ୍ୟ ପୋଲିସର ଡିଆଇଜି ପାହ୍ୟାର ଜଣେ ଅଧିକାରୀଙ୍କ ଘରେ ନିୟୋଜିତ ଥିବା ଉକ୍ତ ହୋମଗାର୍ଡଙ୍କୁ ଡିଆଇଜିଙ୍କ ପତ୍ନୀ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ତେବେ ନିର୍ଯାତନା ଅସହ୍ୟ ହେବାରୁ ମହିଳା ଜଣଙ୍କ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ସୂଚନା ମୁତାବକ, ରାଜ୍ୟ ପୋଲିସରେ କାର୍ଯ୍ୟରତ ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ଘରେ ସୈରିଦ୍ରୀ ସାହୁ ନାମକ ମହିଳା ହୋମଗାର୍ଡ ନିୟୋଜିତ ଥିଲେ । ତେବେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ସବୁବେଳେ ନିର୍ଯାତନା ଦେଉଥିବା ସୈରିଦ୍ରୀ ଅଭିଯୋଗ କରିଥିଲେ । ଏପରିକି ଚାକିରି ନେଇ ଯିବାର ଧମକ ଦେଇ ଗତ ୪ ତାରିଖରେ ତାଙ୍କୁ ବାହାର କରିଦେଇଥିଲେ ବୋଲି କୁହାଯାଉଛି । ଏହାପରେ ସୈରିଦ୍ରୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଫଳରେ ତାଙ୍କର ଦୁଇଟିଯାକ ଗୋଡ଼ ସେ ହରାଇଥିଲେ । ସୈରିଦ୍ରୀ ଏବେ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ନିଜ ଉପରେ ହୋଇଥିବା ନିର୍ଯାତନା ସମ୍ପର୍କରେ ସୈରିଦ୍ରୀ ହୋମଗାର୍ଡ ଡିଜିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ଏହା ମଧ୍ୟରେ ଡିଆଇଜି ବ୍ରିଜେଶଙ୍କୁ ଟ୍ରାନ୍ସଫର କରାଯାଇଛି । ଅନୁଗୁଳର ଡିଆଇଜି ଭାବେ କାର୍ଯ୍ୟରତ ଥିବା ବ୍ରିଜେଶଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଅନ୍ୟପକ୍ଷରେ ସୈରିଦ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବ୍ରିଜେଶ । ପାରିବାରିକ ସମସ୍ୟା କାରଣରୁ ସୈରିଦ୍ରୀ ଅନ୍ୟମନସ୍କ ରହୁଥିଲେ । ତାଙ୍କୁ କୌଣସି ନିର୍ଯାତନା ଦିଆଯାଇନାହିଁ ବୋଲି କହିଛନ୍ତି ବ୍ରିଜେଶ । ସୈରିଦ୍ରୀଙ୍କ ପତିଙ୍କର ପୂର୍ବରୁ ପରଲୋକ ଘଟିଥିବା ବେଳେ ଏବେ ସେ ଦୁଇ ଗୋଡ଼ ହରାଇ ପଙ୍ଗୁ ପାଲଟି ଯାଇଛନ୍ତି । ତେଣୁ ତାଙ୍କର ତାଙ୍କର ଦୁଇ ଝିଅଙ୍କର ଲାଳନପାଳନ ପାଇଁ ତାଙ୍କୁ ତୁରନ୍ତ ଆଥିର୍କ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ଏନେଇ ଜାତୀୟ ମାନବିକ ଅଧିକାର ଆୟୋଗ (ଏନଏଚଆରସି)ଙ୍କ ନିକଟରେ ଏକ ମାମଲା ଦାୟର ହେବା ସହିତ ସୈରିଦ୍ରୀଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ କାର୍ଯ୍ୟାନୁଷ୍ଠାନ ନେଇ ଦାବି ହୋଇଛି ।

Get real time updates directly on you device, subscribe now.