fbpx

ବଢିଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ରୋମାଞ୍ଚ, ଆଜି ନାମାଙ୍କନ ଭରି ପାରନ୍ତି ଦିଗବିଜୟ ସିଂହ

ନୂଆଦିଲ୍ଲୀ: ନା ନା କହି କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବାକୁ ପ୍ରସ୍ତୁତି ଚଳାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ। ଗୁରୁବାର ସେ ନାମାଙ୍କନ ପତ୍ର ଦାଖଲ କରୁଥିବା ଜଣା ପଡିଛି। ଦିଗବିଜୟ ବୁଧବାର ମଧ୍ୟ ପ୍ରଦେଶରୁ ଦିଲ୍ଲୀ ଗସ୍ତ କରିଥିଲେ। ଅନ୍ୟପକ୍ଷେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନେଇ ସ୍ଥିତି ସ୍ପଷ୍ଟ ହୋଇନଥିବା ବେଳେ କେରଳ ସାଂସଦ ଶଶି ଥରୁର ନାମାଙ୍କନ ପତ୍ର ଦାଖଲ କରୁଥିବା ପୂର୍ବରୁ ଘୋଷଣା କରି ସାରିଛନ୍ତି। ଫଳରେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ରୋଚକ ହେବାକୁ ଲାଗୁଛି।

ଏହା ପୂର୍ବରୁ ଖବର ସାମ୍ନାକୁ ଆସିଥିଲା ଯେ, ବୁଧବାର ଦିଗବିଜୟ ନିଜ ସମର୍ଥକଙ୍କ ସହ ବୈଠକ କରିବେ ଏବଂ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରି ପାରନ୍ତି। କାରଣ ସେପ୍ଟେମ୍ବର ୨୪ରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ଏବଂ ସେପ୍ଟେମ୍ବର ୩୦ ହେଉଛି ଶେଷ ତାରିଖ। ଦେଖିବା ବାକି ରହିଲା ଯେ, କଣ ଦିଗବିଜୟ ସିଂହ ଆଜି ପ୍ରାର୍ଥୀ ପତ୍ର ଦାଖଲ କରୁଛନ୍ତି କି। ସେପ୍ଟେମ୍ବର ୩୦ ଅର୍ଥାତ ଶୁକ୍ରବାର ଥରୁର ନାମାଙ୍କନ ପତ୍ର ଦାଖଲ କରୁଥିବା ସ୍ପଷ୍ଟ ହୋଇ ସାରିଛି।

କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡରେ କିଏ କିଏ ରହିଛନ୍ତି:
କଂଗ୍ରେସ ପ୍ରମୁଖଙ୍କ ନିର୍ବାଚନକୁ ନେଇ ପ୍ରଥମରୁ ଅଶୋକ ଗେହଲଟଙ୍କ ନାମକୁ ନେଇ ଚର୍ଚ୍ଚା ଖୁବ୍ ଚାଲିଥିଲା। ମାତ୍ର ରବିବାର ରାତିରେ ଜୟପୁରରେ ରାଜନୈତିକ ଡ୍ରାମା ସବୁ ସମୀକରଣକୁ ବଦଳାଇ ଦେଇଛି। ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ ଯେ, ୭୧ ବର୍ଷୀୟ ଗେହଲଟ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରୁଛନ୍ତି ନା ନାହିଁ। ସେ ଗୁରୁବାର ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟି ପାରନ୍ତି। ଶଶି ଥରୁର ଦୌଡରେ ଥିବା ସ୍ପଷ୍ଟ ହୋଇ ସାରିଛି।
ଆଉ ଯେଉଁ ନେତା ଚର୍ଚ୍ଚାରେ ରହିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ମଲ୍ଲିକାର୍ଜୁନ ଖଡଗେ, କମଲନାଥ, ଏକେ ଆଣ୍ଟୋନୀ, କୁମାରୀ ଶେଲଜା, ମୁକୁଲ ଓ୍ଵାସନିକ, ମନୀଷ ତିଓ୍ଵାରୀ, କେସି ବେଣୁଗୋପାଳ, ପବନ କୁମାର ବଂଶଲ। ତେବେ ଆନୁଷ୍ଠାନିକ ଭାବେ ପାର୍ଟି ପକ୍ଷରୁ କିଛି କୁହାଯାଇ ନାହିଁ। ଏମାନଙ୍କ ମଧ୍ୟରୁ କୌଣସି ନେତା ମଧ୍ୟ ଅଦ୍ୟାବଧି ନାମାଙ୍କନ ଦାଖଲ କରି ନାହାନ୍ତି।

Get real time updates directly on you device, subscribe now.