fbpx

ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି: ଏଣିକି ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଘରେ ଦିଆଯିବ ମଧ୍ୟାହ୍ନଭୋଜନ ସାମଗ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଗରିବ ପରିବାରର ପିଲାମାନେ କିପରି ଶିକ୍ଷା ପାଇପାରିବେ ସେଥିପାଇଁ ସେମାନଙ୍କୁ ମଧ୍ୟାହ୍ନଭୋଜନ, ପୋଷାକ, ବହି ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ମାଗଣାରେ ପ୍ରଦାନ କରାଯାଉଛି । ଏଥିସହିତ ମେଧାବୀ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜରିଆରେ ଉପକୃତ ହୋଇପାରୁଛନ୍ତି ।

ତେବେ ଏହା ମଧ୍ୟରେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରମାନଙ୍କରେ ମଧ୍ୟାହ୍ନଭୋଜନ ସାମଗ୍ରୀ ପ୍ରଦାନ ନେଇ ବ୍ୟବସ୍ଥା କରାଯିବ । ସ୍କୁଲକୁ ଆସିପାରୁ ନଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନଭୋଜନ ସାମଗ୍ରୀ ଦିଆଯିବା ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ମଧ୍ୟାହ୍ନ ପାଇଁ ଆବଶ୍ୟକ ହେଉଥିବା ଶୁଖିଲା ରାଶନ ସାମଗ୍ରୀ ଘରେ ପହଞ୍ଚାଯିବ ।

ତେବେ ୬ରୁ ୧୪ ବର୍ଷର ଦିବ୍ୟାଙ୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଘରେ ରାଶନ ସାମଗ୍ରୀ ପ୍ରଦାନ କରାଯିବ । ଶ୍ରେଣୀ ଅନୁଯାୟୀ ପିଲାଙ୍କୁ ରାଶନ ସାମଗ୍ରୀ ପ୍ରଦାନ କରାଯିବା ସହିତ ସେମାନଙ୍କର ଆକାଉଣ୍ଟକୁ ରୋଷେଇ ଖର୍ଚ୍ଚ ପଠାଯିବ । ଛାତ୍ରଛାତ୍ରୀଙ୍କ ଘରେ ରାଶନ ସାମଗ୍ରୀ ପହଞ୍ଚାଇବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହି ପଦକ୍ଷେପ ଫଳରେ ରାଜ୍ୟର ୩୬୯୪ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ । ଯେଉଁ ପିଲାମାନେ ବିଭିନ୍ନ ସମସ୍ୟା କାରଣରୁ ସ୍କୁଲକୁ ଆସିପାରୁନଥିଲେ ସେମାନେ ଏବେ ବହୁମାତ୍ରାରେ ସୁଫଳ ପାଇ ପାରିବେ ।

Get real time updates directly on you device, subscribe now.