fbpx

ଜିଲ୍ଲାପାଳଙ୍କ ନାଁ ରେ ହତ୍ୟା ମାମଲା

ମାଲକାନଗିରି ,୧୫-୧୧ (ଓଡିଶା ଭାସ୍କର ): ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନାଁ ରେ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି । ଏହି ମାମଲାକୁ ଏସଡିଜେଏମ କୋର୍ଟଙ୍କ ନିର୍ଦେଶକ୍ରମେ ପୋଲିସ ରୁଜୁ କରିଛି । ମୃତ୍ୟୁର ଗତ ୧୦ ମାସ ପରେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଚାରି ଜଣଙ୍କ ନାମରେ କେଶ ରୁଜୁ କରିଛି ମାଲକାନଗିରି ପୋଲିସ । ଜିଲ୍ଲାପାଳ ମନିଷ ଅଗ୍ରୱାଲ, ଡିଇଓ ଭି.ବେଣୁ, ଷ୍ଟେନୋ ପ୍ରକାଶ ସ୍ବାଇଁ ଏବଂ ଅବସରପ୍ରାପ୍ତ ଓଆରଏସ ଭଗବାନ ପାଣିଗ୍ରାହୀଙ୍କ ନାମରେ ଆଇପିସି ଧାରା ୩୦୨,୫୦୬, ୨୦୧, ୨୦୪,୧୨୦(ବି) ଏବଂ ୩୪ ଆପିସିରେ କେଶ ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ମାମଲାକୁ ଡିଏସପି ବଳଭଦ୍ର ଦୀପଙ୍କୁ ତଦନ୍ତ ଦାଇତ୍ୱ ଦିଆଯାଇଛି ।

ପ୍ରକାଶ ଥାଉକି ଗତ ଡିସେମ୍ବର ୨୭ ତାରିଖରେ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ ଦେହ ସ୍ଥାନୀୟ ସତୀଗୁଡା ଡ୍ୟାମରୁ ମିଳିଥିଲା। ତେବେ ତାଙ୍କର ମୃତ୍ୟୁକୁ ବଡ ଚତୁରତାର ସହ ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ସେଥିପାଇଁ ପୋଲିସ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ତେବେ ଏତେ ବଡ ଘଟଣାକୁ ପୁଲିସ ହାଲକା ଭାବେ ଗ୍ରହଣ କରିବା ସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ତେବେ ମୃତ୍ୟୁ ଘଟଣାକୁ ଦୀର୍ଘ ୮ ମାସ ବିତିଯାଇଥିଲେ ମଧ୍ୟ ପୁଲିସ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ବିଫଳ ହେବା ପରେ ଦେବ ନାରାୟଣ ପଣ୍ଡାଙ୍କ ପରିବାର ଲୋକେ ପୁଣି ମାଲକାନଗିରି ଥାନାରେ ଜିଲ୍ଲାପାଳ ମନିଷ ଅଗ୍ରଵାଲଙ୍କ ନାମରେ ଏତଲା କରିଥିଲେ। କିନ୍ତୁ ଏଥର ମଧ୍ୟ ଆଗ ଭଳି କୌଣସି ଭରସା ଯୋଗ୍ୟ ଉତ୍ତର ପାଇ ପାରିନଥିଲା । ଏହି ଘଟଣାକୁ ଦବାଇ ଦେବାକୁ ବହୁ ଚେଷ୍ଟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ କୌଣସି ନ୍ୟାୟ ନପାଇବାରୁ ପରିବାର ଲୋକେ ବାଧ୍ୟ ହୋଇ ଚାରି ଜଣଙ୍କ ନାମରେ ଏତଲା ଦାୟର କରିଥିଲେ।….ତେବେ ଏସଡିଜେଏମ କୋର୍ଟଙ୍କ ନିର୍ଦେଶକ୍ରମେ ଦକ୍ଷିଣାଞ୍ଚଳ ଡିଏସପିଙ୍କ ନେତୃତ୍ବରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। କୌଣସି ଟଙ୍କା ହେରଫେରକୁ ନେଇ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରାଯାଇଛି। ଜିଲ୍ଲାପାଳ ସମେତ ଅନ୍ୟ ତିନି ଜଣ ହିଁ ତାଙ୍କ ସ୍ବାମୀଙ୍କୁ ହତ୍ୟା କରି ସତୀଗୁଡା ଡ୍ୟାମରେ ଫିଙ୍ଗି ଦେଇଥିବା ପତ୍ନୀ ବନଜା ପଣ୍ଡା ଏତଲାରେ ଦର୍ଶାଇଛନ୍ତି। ମାଲକାନଗିରି ପୁଲିସ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି।

 

Get real time updates directly on you device, subscribe now.