ନୂଆ ନେତାଙ୍କ ନାମ ଘୋଷଣା: ଜିଲ୍ଲା ସଭାପତି, ବରିଷ୍ଠ ଉପସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକଙ୍କୁ ନିଯୁକ୍ତି ଦେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ରେ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଅଛି । ତେଣୁ ଏହାକୁ ନେଇ ରାଜ୍ୟରେ କ୍ଷମତାସୀନ ବିଜେଡି ତା’ର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଦଳ ତା’ର ସଂଗଠନକୁ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିବା ସହିତ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଛି । ନିକଟରେ କିଛି ନେତାଙ୍କୁ ନୂଆ ଦାୟିତ୍ୱ ମିଳିଥିବା ବେଳେ ଏହା ମଧ୍ୟରେ ପୁଣି କିଛି ନୂଆ ନେତାଙ୍କୁ ନୂଆ ଦାୟିତ୍ୱ ନେଇ ଘୋଷଣା କରାଯାଇଛି ।

ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ ହୋଇଛି । ଅଶ୍ୱିନୀ କୁମାର ପାତ୍ରଙ୍କୁ ଜିଲ୍ଲା ସଭାପତି ଭାବେ ଘୋଷଣା କରାଯାଇଥିବା ବେଳେ ୪ ଜଣ ବରିଷ୍ଠ ଉପସଭାପତିଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନଙ୍କ ମଧ୍ୟରେ ପ୍ରଭାତ କୁମାର ବିଶ୍ୱାଳ, ସନ୍ତୋଷ ଖଟୁଆ, ଗୌରୀ କୁମାର ରାଉତ ଓ ବରଦା ପ୍ରସନ୍ନ ପଟ୍ଟନାୟକ ରହିଛନ୍ତି । ସେହପରି ୯ ଜଣ ଉପସଭାପତି, ୧୬ ଜଣ ସାଧାରଣ ସମ୍ପାଦକ, ୨୨ ଜଣ ସମ୍ପାଦକ, ୨୩ ଜଣ ଯୁଗ୍ମ ସମ୍ପାଦକଙ୍କୁ ମଧ୍ୟ ନିଯୁକ୍ତି ମିଳିଛି ।

ଏଥିସହିତ ଦଳ ପକ୍ଷରୁ ଜଣେ ଲେଖାଏଁ କୋଷାଧ୍ୟକ୍ଷ ଓ ମିଡ଼ିଆ କୋ-ଅର୍ଡିନେଟରଙ୍କୁ ଦାୟିତ୍ୱ ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମସ୍ତ ନେତାଙ୍କୁ ନିଯୁକ୍ତି ଦେଇଛନ୍ତି । ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏନେଇ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ସପ୍ତାହରେ ଦଳ ପକ୍ଷରୁ ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଥିଲା । ଏଥିସହିତ ୫ ଜଣ ନେତାଙ୍କୁ ଭବାନିପାଟଣା, ଜୁନାଗଡ଼, ଧର୍ମଗଡ଼, ନର୍ଲା ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ସଭାପତି ଭାବେ ନିଯୁକ୍ତି ମିଳିଥିଲା ।