fbpx

ଖଣିମନ୍ତ୍ରୀଙ୍କୁ ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଦାବିପତ୍ର

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲାରେ ଟ୍ରକ ମାଲିକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଇଛି । ଟ୍ରକ୍ ଚାଲୁନଥିବାରୁ ଅନେକ ଡ୍ରାଇଭର, ହେଲପର ଅତ୍ୟନ୍ତ ଦୁଃଖରେ କାଳାତିପାତ କରୁଛନ୍ତି । ଏଥିସହ ଟ୍ରକ ଉପରେ ନିର୍ଭର କରୁଥିବା ହୋଟେଲ, ଢାବା ଓ ଟାୟାର ଦୋକାନୀଙ୍କ ପରି ହଜାର ହଜାର ପରିବାରଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି । ଅଧିକାଂଶ ଲୁହାପଥର ଟ୍ରେନରେ ପରିବହନ ହେଉଥିବା କାରଣରୁ ଟ୍ରକ ମାଲିକମାନେ ହାତବାନ୍ଧି ବସିରହିଛନ୍ତି । ଯଦି ଏଭଳି ସ୍ଥିତି ଆଗକୁ ଲାଗି ରହେ, ତେବେ ଜିଲ୍ଲାର ଟ୍ରକ ମାଲିକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଛି । କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ଯୁଗ୍ମ ସମ୍ପାଦକ ଦେବୁ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ କର ସେମାନଙ୍କ ଦାବିକୁ ବିଚାର କରିବାକୁ ନିବେଦନ କରିଛନ୍ତି ।

ତେବେ ଏହି ଅବସରରେ ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ କେନ୍ଦୁଝର ଗସ୍ତ ଅବସରରେ ଟ୍ରକ ମାଲିକ ସଂଘ ପକ୍ଷରୁ ତାଙ୍କୁ ଦାବିପତ୍ର ଦିଆଯାଇଛି । ଆଉ କିଛିଦିନ ଯଦି ଟ୍ରକ ଚାଲେ, ଟ୍ରକର ମାଲିକମାନେ ଦାଣ୍ଡର ଭିକାରି ହୋଇଯିବେ ବୋଲି ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଅପରପକ୍ଷେ ଟ୍ରକ ମାଲିକମାନଙ୍କର ଦାବିକୁ ଗୁରୁତ୍ୱର ସହ ନେଇଛନ୍ତି ଖଣିମନ୍ତ୍ରୀ । ଖୁବଶୀଘ୍ର ସେ ପରିବହନ ବିଭାଗ ଓ ଖଣିମାଲିକଙ୍କ ସହ ଆଲୋଚନା କରିବେ । ଟ୍ରକ ଯୋଗେ କିପରି ଖଣିଜ ପଦାର୍ଥ ପରିବହନ ସ୍ୱାଭାବିକ ହୋଇପାରିବ, ସେ ଦିଗରେ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶ୍ୱାସନା ଦେଇଛନ୍ତି ।

Get real time updates directly on you device, subscribe now.