fbpx

ଭୁଲର ସୀମା ଟପିଲା! ଗଲବ୍ଲାଡର ଅପରେସନ କରିବାକୁ ଯାଇଥିଲେ ଯୁବକ, ମାତ୍ର ବନ୍ଧ୍ୟାକରଣ କରିଦେଲେ ଡାକ୍ତର

ନୂଆଦିଲ୍ଲୀ: ରୋଗୀଙ୍କ ଜୀବନ ବଞ୍ଚାଉଥିବାରୁ ବର୍ତ୍ତମାନ ସମୟରେ ଲୋକମାନେ ଡାକ୍ତରଙ୍କୁ ‘ଦ୍ୱିତୀୟ ଭଗବାନ’ ବୋଲି କହିଥାନ୍ତି । ମାତ୍ର ଅନେକ କ୍ଷେତ୍ରରେ ଡାକ୍ତରଙ୍କ ସାମାନ୍ୟ ଭୁଲ୍ ପାଇଁ ଜଣେ ରୋଗୀଙ୍କ ଜୀବନ ଚାଲିଯାଇଥାଏ । ଏହା ମଧ୍ୟରେ ଏକ ବଡ଼ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ଗଲବ୍ଲାଡର ଅପରେସନ କରିବାକୁ ହସ୍ପିଟାଲକୁ ଯାଇଥିବା ବେଳେ ଡାକ୍ତରମାନେ ଭୁଲବଶତଃ ତାଙ୍କର ବନ୍ଧ୍ୟାକରଣ କରିଦେଇଥିଲେ ।

ସୂଚନା ମୁତାବକ, ଆର୍ଜେଣ୍ଟନାରୁ ଆସିଛି ଏଭଳି ଏକ ଘଟଣା । ଜଣେ ଯୁବକ ନିଜର ଗଲବ୍ଲାଡର ସର୍ଜରୀ କରାଇବାକୁ ହସ୍ପିଟାଲକୁ ଯାଇଥିଲେ । ତେବେ ଡାକ୍ତରମାନେ ଗଲବ୍ଲାଡର ଅପରେସନ କରିବା ବଦଳରେ ଯୁବକଙ୍କର ବନ୍ଧ୍ୟାକରଣ କରିଦେଇଥିଲେ । ୪୧ ବର୍ଷୀୟ ଉକ୍ତ ଯୁବକଙ୍କ ନାମ ଜର୍ଜ ବେସଟୋ । ସେ ସର୍ଜରୀ କରାଇବାକୁ କରଡୋବାର ଫୋରେନ୍ସିଓ ଡିଆଜ ପ୍ରୋଭିନ୍ସିଆଲ ହସ୍ପିଟାଲକୁ ଯାଇଥିଲେ । ଅପରେସନ୍ ପାଇଁ ପ୍ରଥମେ ଫେବୃଆରୀ ୨୭ ତାରିଖ (ମଙ୍ଗଳବାର) ଶିଡ୍ୟୁଲ ହୋଇଥିବା ବେଳେ ପରେ କୌଣସି କାରଣରୁ ତାହାକୁ ୨୮ ତାରିଖ (ବୁଧବାର)କୁ ଘୁଞ୍ଚାଇ ଦିଆଯାଇଥିଲା ।

ତେବେ ସେଦିନ ହସ୍ପିଟାଲର କର୍ମଚାରୀମାନେ ରୋଗୀଙ୍କ ରୁମକୁ ଆସି ତାଙ୍କୁ କିଛି ନ ପଚାରି ଓ ଯାଞ୍ଚ ନକରି ଅପରେସନ ରୁମକୁ ନେଇଯାଇଥିଲେ । ଡାକ୍ତରମାନେ ମଧ୍ୟ ରୋଗୀଙ୍କ ଚାର୍ଟ ଯାଞ୍ଚ ନକରି ବନ୍ଧ୍ୟାକରଣ କରିଦେଇଥିଲେ । ସର୍ଜରୀ ପରେ ଜଣେ ଡାକ୍ତର ଜର୍ଜଙ୍କ ନିକଟକୁ ଯାଇ ଯାଞ୍ଚ କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ବନ୍ଧ୍ୟାକରଣ ହୋଇଥିବା ଶୁଣିବା ପରେ ଜର୍ଜ ସ୍ତବ୍ଧ ହୋଇଯାଇଥିଲେ ଓ ତାଙ୍କୁ ଏକ ବଡ଼ ଝଟକା ଲାଗିଥିଲା । ସେ ଏନେଇ ଡାକ୍ତରଙ୍କ ସମେତ ହସ୍ପିଟାଲ ବିରୋଧରେ ମକଦ୍ଦମା ଦାୟର କରିବାକୁ ଭାବୁଛନ୍ତି । ହସ୍ପିଟାଲରେ ବୁଧବାର ଦିନ ପୁରୁଷ ବନ୍ଧ୍ୟାକରଣ କରାଯାଇଥାଏ । ରୋଗୀଙ୍କ ବୀମାରୀ ଚାର୍ଟ ନ ଦେଖିବା ଡାକ୍ତରଙ୍କର ଏକ ବଡ଼ ଭୁଲ ବୋଲି ଜର୍ଜଙ୍କ ଓକିଲ କହିଛନ୍ତି ।

Get real time updates directly on you device, subscribe now.