fbpx
BSKY
BJD SHG SKY
BJD YOUTH SKY

ଏସିଆ କପକୁ କେବଳ IND vs PAK ମ୍ୟାଚ୍ ଭାବନ୍ତୁ ନାହିଁ, ରୋହିତ ଶର୍ମାଙ୍କୁ ଗାଙ୍ଗୁଲିଙ୍କ ବଡ ପରାମର୍ଶ

ନୂଆଦିଲ୍ଲୀ: ଏସିଆ କପ୍ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ ଖେଳାଯିବ। ତେବେ ପୂରା ଦୁନିଆର ନଜର ଅଗଷ୍ଟ ୨୮ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ମୁକାବିଲା ଉପରେ ରହିଛି। ମହାମୁକାବିଲାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ମାତ୍ର ଦୁଇ ଘଣ୍ଟାରେ ହିଁ ମ୍ୟାଚର ସମସ୍ତ ଟିକଟେ୍ ବିକ୍ରି ହୋଇ ଯାଇଥିଲା। ହେଲେ ଏହି ମହାମୁକାବିଲା ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ବଡ ପରାମର୍ଶ ଦେଇଛନ୍ତି। ଗାଙ୍ଗୁଲି କହିଛନ୍ତି, ଭାରତକୁ ପାକିସ୍ତାନ ବିପକ୍ଷ ମୁକାବିଲା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଏସିଆ କପ୍ ଜିତିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଉଚିତ୍।

ସୌରଭ ଗାଙ୍ଗୁଲି ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ କହିଛନ୍ତି, ମୁଁ ଏହାକୁ ଏକ ଏସିଆ କପ୍ ଭାବେ ଦେଖୁଛି। ମୁଁ ଭାରତ ବନାମ ପାକିସ୍ତାନ ନଜରରେ କୌଣସି ଟୁର୍ଣ୍ଣାମେଣ୍ଟକୁ ଦେଖେ ନାହିଁ। ମୁଁ ଚାହୁଁଛି ଆମ ଦଳ ଏହି ଚିନ୍ତାଧାରା ସହ କ୍ରିକେଟ୍ ମଇଦାନକୁ ଓହ୍ଲାଉ। ମୁଁ ଯେବେ କ୍ରିକେଟ୍ ଖେଳୁଥିଲି, ସେହି ସମୟରେ ଭାରତ-ପାକିସ୍ତାନ ମ୍ୟାଚକୁ ଅନ୍ୟ କ୍ରିକେଟ୍ ମୁକାବିଲା ପରି ଦେଖୁଥିଲି। ମୁଁ ସର୍ବଦା ଟୁର୍ଣ୍ଣାମେଣ୍ଟ ଜିତିବା ଉପରେ ଧ୍ୟାନ ଲଗାଉଥିଲି। ଭାରତ ଏକ ଚମତ୍କାର ଦଳ ଏବଂ ନିକଟ ଦିନରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି। ଆଶା କରୁଛି ଭାରତୀୟ ଦଳ ଏସିଆ କପରେ ମଧ୍ୟ ସେହି ଧରଣର ପ୍ରଦର୍ଶନ କରିବ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏ ପର‌୍ୟ୍ୟନ୍ତ ଏସିଆ କପରେ ୧୪ଟି ମୁକାବିଲା ଖେଳାଯାଇଛି। ଏଥିରୁ ଭାରତ ୮ଟି ଜିତିଥିବା ବେଳେ ପାକିସ୍ତାନ ୫ଟି ମୁକାବିଲା ଜିତିଛି। ଅଗଷ୍ଟ ୨୮ରେ ୧୫ମ ଥର ଦୁଇ ଦଳ ମୁହାଁମୁହିଁ ହେବେ। ଭାରତ ଏବଂ ପାକିସ୍ତାନ ଦଳ ଏସିଆ କପରେ ଲିଗ୍ ପର‌୍ୟ୍ୟାୟ ପରେ ଆଉ ଦୁଇ ଥର ମୁହାଁମୁହିଁ ହୋଇ ପାରନ୍ତି। ଗୋଟିଏ ସୁପର ୪ରେ ଏବଂ ଦ୍ଵିତୀୟ ଫାଇନାଲରେ ଦୁଇ ଦଳ ମୁହାଁମୁହିଁ ହୋଇ ପାରନ୍ତି। ଭାରତ ଏବଂ ପାକିସ୍ତାନ କେବେ ମଧ୍ୟ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହୋଇ ନାହାନ୍ତି।

 

Get real time updates directly on you device, subscribe now.