fbpx

ସ୍ୱପ୍ନ ଦେଖୁଛି ଡ୍ରାଗନ: ୨୦୨୫ରେ ତାଇୱାନ ଏବଂ ୨୦୪୦ ସୁଦ୍ଧା ଅରୁଣାଚଳ ଉପରେ କରିବ କବଜା, ଏମିତି କରିଛି ଯୋଜନା

ନୂଆଦିଲ୍ଲୀ : ସମଗ୍ର ଦୁନିଆରେ ନିଜର ବିସ୍ତାରବାଦୀ ନୀତି ନେଇ ନିନ୍ଦିତ ଚୀନ । ବଳ ପ୍ରୟୋଗ ହେଉ କି ଋଣ  ଜାଲରେ ଫସାଇ ହେଉ ଚୀନ ଯଥା ସାଧ୍ୟ ଅନ୍ୟ ଦେଶକୁ କବଜା କରିବାକୁ ସର୍ବଦା ପ୍ରୟାସ ଚଳାଇଥାଏ । ଏହି କ୍ରମରେ ୨୦୨୫ ସୁଦ୍ଧା ତାଇୱାନକୁ ଅକ୍ତିକାର କରିବ ଚୀନ । ଚୀନରେ ଏକ ଆର୍ଟିକିଲରେ ଏମିତି ଦାବି କରାଯାଇଛି । ଏହି ଲେଖା ଚୀନୀ ୱେବସାଇଟ୍ ସୋହୁରେ ଲେଖା ହୋଇଛି । ଏହି ଆର୍ଟିକଲ ଏବେ ଭାଇରାଲ ହୋଇଛି। ଏହି ଲେଖାରେ ଅନେକ ସୈନ୍ୟ ଅଧିକାରୀ, ଅବସରପ୍ରାପ୍ତ ସେନା ଅଧିକାରୀ, ବିଶେଷଜ୍ଞ ଓ ବିଶ୍ଳେଷକଙ୍କ କଥାକୁ ଉଲ୍ଲେଖ କରାଯାଇଛି ।

ଏଥିରେ ଲେଖା ହୋଇଛି ଯେ, ୨୦୨୫ ସୁ୍ଦ୍ଧା ଚୀନ ନିଜର ପଡୋଶୀ ତାଇୱାନକୁ ଅକ୍ତିକାର କରିବ । କେବଳ ଏତିକି ନୁହେଁ ଏଥିରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଚୀନ କେମିତି ଧିରେ ଧିରେ ନିଜର ବିସ୍ତାରବାଦୀ ନୀତିକୁ ଆଗକୁ ବଢାଇବ । ଏହି ଆର୍ଟିକିଲ ଅନୁଯାୟୀ, ଚୀନ ୨୦୩୦ ସୁଦ୍ଧା ଭିଏତନାମ ଏବଂ ଫିଲିପାଇନ୍ସ ପରି ଦେଶକୁ ହରାଇ ଦକ୍ଷିଣ ଚୀନ ସାଗରକୁ ପୂରା ଦଖଲ କରିବ । ଏହା ପରେ ୨୦୪୦ରେ ଚୀନ ଅରୁଣାଚଳ ପ୍ରଦେଶ ଉପରେ ହମଲା କରି ଏହାକୁ ତିବତରେ ସାମିଲ କରିବ । ଚୀନର ସ୍ୱପ୍ନ ଏତିକିରେ ସରୁ ନାହିଁ ।

୨୦୪୫ ସୁ୍ଦ୍ଧା ଚୀନ ସେନକାକୁସ ଦ୍ୱୀପରେ ଜାପାନକୁ ହଟାଇ ନିଜର ଲାଲ ପତାକା ଉଡାଇବ । ଏହା ପରେ ମଙ୍ଗୋଲିଆ ଉପରେ ହମଲା କରି ନିଜ ଦେଶରେ ମିଶାଇବ । କେବଳ ଏତିକି ନୁହେଁ ୨୦୬୦ରେ ଚୀନ ରୁଷ ଉପରେ ଆକ୍ରମଣ କରିବ ଏବଂ କଥିତ ଭାବେ ରୁଷର ନିୟନ୍ତ୍ରଣରେ ଥିବା ଚୀନ ଅଞ୍ଚଳକୁ ନିଜ ଦେଶରେ ମିଶାଇବ । ରିପୋର୍ଟରେ ଏହା ଦାବି କରାଯାଇଛି ଯେ, ଚୀନ ଜାପାନ ଓ ରୁଷରର ସୈନିକଙ୍କୁ ହରାଇବାରେ ସକ୍ଷମ ହେବ।

କେମିତି ଅରୁଣାଚଳ ପ୍ରଦେଶକୁ ହାତେଇବ ଚୀନ

ଆର୍ଟିକିଲରେ ଏହା ଉଲ୍ଲେଖ ରହିଛି ଯେ, ଚୀନ କେମିତି ଅରୁଣାଚଳ ପ୍ରଦେଶକୁ ହାତେଇବ । ଚୀନ ଅରୁଣାଚଳ ପ୍ରଦେଶକୁ ତିବତର ଦକ୍ଷିଣ ଅଂଶ ମାନିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଚୀନ ଭାରତକୁ ଜାଣିଶୁଣି ଚିଡାଇବା ପାଇଁ ଏମିତି କରୁଛି । ଆଉ ଚୀନ ଭାରତକୁ ଅନେକ ବିଚ୍ଛିନ୍ନତାବାଦୀ ଆନ୍ଦୋଳନରେ ଠେଲି ଦେବ ଯଦ୍ୱାରା ଭାରତର ଧ୍ୟାନ ଅରୁଣାଚଳ ପ୍ରଦେଶ ଉପରୁ ହଟିଯିବ ଏବଂ ସୁଯୋଗ ଦେଖି ଚୀନ ଅରୁଣାଚଳ ପ୍ରଦେଶ ଉପରେ ହମଲା କରି କବଜା କରି ନେବ । ଯଦି ଏମିତି ନୁହଏ ତେବେ ଚୀନ ପାଖରେ ଦ୍ୱିତୀୟ ବିକଳ୍ପ ବା ଯୋଜନା ରହିଛି । ଆର୍ଟିକିଲ ଅନୁଯାୟୀ, ଚୀନ ପାକିସ୍ତାନକୁ କାଶ୍ମୀର ଉପରେ ହମଲା କରିବାକୁ କହିବ ଏବଂ ଏହା ପରେ ନିଜେ ଅରୁଣାଚଳ ପ୍ରଦେଶ ଉପରେ ହମଲା କରିବ । ଚୀନର କହିବା କଥା ଭାରତ ଏକ ସଙ୍ଗେ ଦୁଇଟି ମୋର୍ଚ୍ଚାରେ ଯୁଦ୍ଧ କରି ପାରିବ ନାହିଁ । ଏମିତି ସ୍ଥିତିରେ ଭାରତ କଶ୍ମୀର ସହିତ ଅରୁଣାଚଳ ପ୍ରଦେଶକୁ ମଧ୍ୟ ହରାଇ ଦେବ ।

Get real time updates directly on you device, subscribe now.