fbpx

ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ସ୍ୱାକ୍ଷର କଲେ ରାଜ୍ୟ କ୍ୟାବିନେଟର ୨ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ସ୍ୱାକ୍ଷର କରିଛନ୍ତି ରାଜ୍ୟ କ୍ୟାବିନେଟର ୨ ମନ୍ତ୍ରୀ। ଜଗନ୍ନାଥ ସାରକା ଓ ଟୁକୁନି ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ଯାଇଛନ୍ତି। ଉଭୟେ ଆସନ୍ତା କାଲି ନାମାଙ୍କନ ସମୟରେ ମଧ୍ୟ ଉପସ୍ଥିତ ରହିବେ। ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବକ ଭାବରେ ସେମାନେ ରହିବେ ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ। ଆଜି ସକାଳେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନପତ୍ର ଦାଖଲ ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାପରେ ଓଡ଼ିଶାର ଦୁଇ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତାବକ ରହିବେ ବୋଲି ସୂଚନା ମିଳିଥିଲା।

ଓଡ଼ିଶାରୁ ପ୍ରଥମଥର ପାଇଁ କୋଣସି ପ୍ରାର୍ଥୀ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ନିର୍ବାଚନରେ ଦଳମତ ନିର୍ବିଶେଷରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ଓଡ଼ିଶାର ସମସ୍ତ ବିଧାୟକଙ୍କୁ ଅପିଲ୍ କରିଥିଲେ। ଆଜି ଜେପି ନଡ୍ଡାଙ୍କ ସହ ଏ ବିଷୟରେ ଆଲୋଚନା ହୋଇଥିବା ସେ କହିଛନ୍ତି। ଆସନ୍ତା କାଲି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ସମୟରେ ବିଜେଡ଼ିରେ ଦୁଇ କ୍ୟାବିନେଟ ମନ୍ତ୍ରୀ ପ୍ରସ୍ତାବକ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମତାସୀନ ଏନଡିଏ ସରକାର ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ତେବେ ସଂଖ୍ୟା ଖେଳକୁ ଦେଖିଲେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ଵୋଲି ଦେଖାଯାଉଛି। କାରଣ ଏନଡିଏ ସରକାରଙ୍କୁ ଓଡ଼ିଶାର ବିଜେଡି ସମେତ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ଭଳି ଆଂଚଳିକ ଦଳ ମଧ୍ୟ ସମର୍ଥନ କରୁଛନ୍ତି। ସେହିପରି ପ୍ରାୟ 13 ବିରୋଧୀ ଦଳ ମିଶି ଟିଏମସି ର ଯଶବନ୍ତ ସିଂହଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି।

 

Get real time updates directly on you device, subscribe now.