fbpx

କୋହଲିଙ୍କ ୧୦୦ତମ ଟେଷ୍ଟ, କ୍ୟାପ୍ ଦେଇ ସମ୍ମାନିତ କଲେ ରାହୁଲ ଦ୍ରାବିଡ

ମୋହାଲି: ବିରାଟ କୋହଲି ଆଜି ଶ୍ରୀଲଙ୍କା ବିପକ୍ଷରେ ନିଜ ଟେଷ୍ଟ କ୍ୟାରିୟରରେ ୧୦୦ତମ ମୁକାବିଲା ଖେଳୁଛନ୍ତି। ଏହି ଖାସ୍ ଉପଲବ୍ଧିରେ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କୋହଲିଙ୍କୁ ଭାରତୀୟ ଦଳର କ୍ୟାପ୍ ଦେଇ ସମ୍ମାନିତ କରିଛନ୍ତି। ମୋହାଲିରେ ଖେଳାଯାଉଥିବା ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରୋହିତ ତିନି ସ୍ପିନର ଏବଂ ଦୁଇ ଦ୍ରୁତ ବୋଲର ସହ ମଇଦାନକୁ ଓହ୍ଲାଇଛନ୍ତି। ଚେତେଶ୍ଵର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ହନୁମା ବିହାରୀ ଏବଂ ଶ୍ରେୟସ ଆୟରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।

ବିରାଟ କୋହଲିଙ୍କୁ ସ୍ଵତନ୍ତ୍ର କ୍ୟାପ୍ ଦେଇ ଦ୍ରାବିଡ୍ କହିଛନ୍ତି, ଆପଣ ଏଥିପାଇଁ ଯୋଗ୍ୟ ବ୍ୟକ୍ତି। ଆଶା କରୁଛି ଆପଣ ଆଗାମୀ ସମୟରେ ଦଳ ପାଇଁ ବହୁତ କିଛି ସଫଳତା ଆଣିବେ। କ୍ୟାରିୟରରେ ଆହୁରି ସଫଳ ହେବେ ବୋଲି ଦ୍ରାବିଡ କହିଛନ୍ତି।

 

କୋହଲି କ୍ୟାପ୍ ଗ୍ରହଣ କରିବା ପରେ କହିଛନ୍ତି, ଏହା ମୋ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ। ଏଠାରେ ମୋ ସହ ପତ୍ନୀ ଏବଂ ଭାଇ ଉପସ୍ଥିତ ଅଛନ୍ତି। ମୋର ଏହି ସଫଳତା ପାଇଁ ସମସ୍ତେ ଗର୍ବିତ। ଏହା ବାସ୍ତବରେ ଏକ ଦଳଗତ ଖେଳ। ଏହା ଆପଣଙ୍କ ବିନା ସମ୍ଭବ ହୋଇ ପାରିବ ନାହିଁ। ବିସିସିଆଇକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି କୋହଲି। ସାଂପ୍ରତିକ ସମୟରେ ଆମେ କ୍ରିକେଟର ତିନି ଫର୍ମାଟ୍ ଖେଳିବା ସହ ଆଇପିଏଲରେ ଅନେକ ମ୍ୟାଚ୍ ଖେଳୁଛନ୍ତି। ଆଗାମୀ ପିଢି ଯଦି କିଛି ସଫଳତା ଅର୍ଜନ କରିବାକୁ ଚାହୁଁଛନ୍ତି ତେବେ ସବୁଠୁ ବଡ ହେଉଛି ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବା ବୋଲି କୋହଲି କହିଛନ୍ତି।

ଏହି ସମୟରେ କୋହଲି ଦ୍ରାବିଡଙ୍କୁ ନିଜର ଆଦର୍ଶ ଦର୍ଶାଇ ଅଣ୍ଡର-୧୫ର ସେହି ସମୟକୁ ମନେ ପକାଇଛନ୍ତି, ଯେଉଁ ସମୟରେ ସେ ଏନସିଏରେ ଦ୍ରାବିଡଙ୍କୁ ଭେଟିଥିଲେ।

Get real time updates directly on you device, subscribe now.