ନୂଆଦିଲ୍ଲୀ: ଉତ୍ତରାଖଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । 5 ମାସରେ 19ଜଣ ଯୁବକଙ୍କୁ ଏଚଆଇଭି ସଂକ୍ରମିତ କରାଇଲା ନାବାଳିକା । ତେବେ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଜଣେ ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖିବା କାରଣରୁ ସମସ୍ତେ ଏଡସ୍ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 19ଜଣ ଚିହ୍ନଟ ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଉତ୍ତରାଖଣ୍ଡର ନୈନତାଲ ଜିଲ୍ଲାର ରାମନଗର ଅଞ୍ଚଳର ଏହି ଖବର । ନାବାଳିକା ଜଣକ ଡ୍ରଗ୍ସ ନେଉଥିବା ବେଳେ ଉକ୍ତ ଯୁବକମାନେ ତାଙ୍କୁ ଡ୍ରଗ୍ସ ଲୋଭ ଦେଖାଇ ଶାରୀରିକ ସମ୍ପର୍କ ରଖିଥିବା ଜଣାପଡିଛି ।
ଖବର ଅନୁସାରେ, ଏହି ଅଞ୍ଚଳରେ 4 ବର୍ଷ ମଧ୍ୟରେ 75 ଏଚଆଇଭି ମାମଲା ଚିହ୍ନଟ ହୋଇଥିଲା । 1 ବର୍ଷ ମଧ୍ୟରେ 26 ମାମଲା ସାମ୍ନାକୁ ଆସିଥିଲା । କିନ୍ତୁ ଗତ 5 ମାସର ରିପୋର୍ଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଜଣେ ନାବାଳିକା 19ଜଣଙ୍କୁ ସଂକ୍ରମିତ କରିଛି । ଏହାପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବୃଦ୍ଧି ପାଇଛି । ନାବାଳିକାଙ୍କ ସହିତ ସମ୍ପର୍କରେ ଆସିବା ପରେ ଯୁବକମାନଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ତେବେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନେ ଏଚଆଇଭି ପଜିଟିଭ୍ ବୋଲି ଜଣାପଡିଥିଲେ । ତେବେ ସେମାନଙ୍କୁ କାଉସଲିଂ କରିବା ବେଳେ ଜଣାପଡିଥିଲା ଯେ, ସେମାନେ ଗୋଟିଏ ନାବାଳିକା ସହିତ ସମ୍ପର୍କ ରଖିଛନ୍ତି । ତେବେ ଏନେଇ ଅଧିକ କାଉନସିଲିଂ କରାଯାଉଥିବା ନେଇ ସିଡିଏମଓ ସୂଚନା ଦେଇଛନ୍ତି ।