fbpx

ନଡ଼ିଆ ତୋଳାକୁ ବିରୋଧ କରିବାରୁ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଥାନାରେ ଅଭିଯୋଗ କଲେ ପୀଡ଼ିତା

ଡେଲାଙ୍ଗ,(ଭାସ୍କର ନ୍ୟୁଜ): ବିବାଦୀୟ ଜାଗାରୁ ବଳପୂର୍ବକ ନଡ଼ିଆ ତୋଳିବାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଜନୈକା ମହିଳାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଏବଂ ଦୁଷ୍କର୍ମ ଉଦ୍ୟମ କରିବା ନେଇ ମହିଳା ଜଣକ ହାଟ ଡେଲାଙ୍ଗ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଡେଲାଙ୍ଗ ଥାନା ଅନ୍ତର୍ଗତ କଅଁଳପଡ଼ା ଗ୍ରାମର ଜନୈକା ମହିଳାଙ୍କ ଘର ବାଡ଼ିରେ ନଡ଼ିଆ ଗଛ ଓ ଜାଗାକୁ କେନ୍ଦ୍ର କରି ପଡ଼ିଶା ଘର ପରିବାର ସହ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା । ଏପରିକି ବିବାଦୀୟ ଜାଗାରୁ କେହି ନଡ଼ିଆ ନ ତୋଳିବାକୁ ହାଟ ଡେଲାଙ୍ଗ ଫାଣ୍ଡିରେ ଗତବର୍ଷ ମେ ମାସ ନଅ ତାରିଖରେ ଏକ ଚୁକ୍ତି ତ୍ର ସ୍ୱାକ୍ଷରିତ ହୋଇଥିଲା । ଅଧିକନ୍ତୁ ଏହି ବିବାଦର ସମାଧାନ ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଆପୋଷ ସମାଧାନ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ଏହା କାର୍ଯ୍ୟକାରୀ ହୋଇ ନ ଥିଲା । ତେବେ ଜମିବାଡ଼ି କାଗଜପତ୍ର ଅନୁଯାୟୀ ମହିଳା ଜଣକ ବିବାଦୀୟ ଜାଗା ଓ ଗଛର ପ୍ରକୃତ ସତ୍ୱାଧିକାରୀ ବୋଲି ଦାବି କରୁଥିବାବେଳେ ମଙ୍ଗଳବାର ସକାଳ ସାଢ଼େ ଆଠଟା ବେଳେ ମହିଳାଙ୍କ ସ୍ୱାମୀଙ୍କ ଅନୁସ୍ଥିତିର ସୁଯୋଗ ନେଇ ଅପରପକ୍ଷର ବାପପୁଅ ପ୍ରଶାନ୍ତ ବଳିୟାରସିଂହ ଓ ପର୍ଶୁରାମ ବଳିୟାରସିଂହ ଗ୍ରାମର ଖଳପ୍ରକୃତିର ବ୍ୟକ୍ତି ପ୍ରକାଶ କୁମାର ସାମନ୍ତସିଂହାରଙ୍କ ପ୍ରରୋଚନାରେ ବିବାଦୀୟ ଜାଗାରୁ ନଡ଼ିଆ ତୋଳିଥିଲେ ।

ଏଥିରେ ଅଭିଯୋଗକାରିଣୀ ମହିଳାଙ୍କ ସମେତ ତାଙ୍କ ଶାଶୁ ଓ ପିଲାମାନେ ପ୍ରତିବାଦ କରିବାରୁ ପ୍ରତିକ୍ଷମାନେ ମିଳିତ ହୋଇ ମହିଳାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସେ ଡେଲାଙ୍ଗ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ହାଟ ଡେଲାଙ୍ଗ ଫାଣ୍ଡି ଅଧିକାରୀ ଧନପତି ପିଙ୍ଗ ଗ୍ରାମରେ ପହଞ୍ଚି ତଦନ୍ତ କରି ଫେରି ଯାଇଥିବାବେଳେ ଖବର ଲେଖାହେବା ବେଳକୁ ଏ ସଂକ୍ରାନ୍ତରେ ଅଭିଯୋଗକାରିଣୀ ଫାଣ୍ଡିରେ ଅଭିଯୋଗ କରିଥିଲେ ହେଁ କୌଣସି ମାମଲା ରୁଜୁ ହୋଇନାହିଁ । ଅନ୍ୟପକ୍ଷରେ ବିବାଦୀୟ ଜାଗାରୁ ନଡ଼ିଆ ତୋଳିବାକୁ ଥାନା ପକ୍ଷରୁ ବାରଣ କରାଯାଇଥିବାବେଳେ ପ୍ରତିକ୍ଷ ପରିବାରଙ୍କ ବଳପୂର୍ବକ ଆକ୍ରମଣ ଓ କାର୍ଯ୍ୟକଳାପ ଯୋଗୁଁ ପୀଡିତ ପରିବାର ସମ୍ପ୍ରତି ଭୟ ଓ ଆଶଙ୍କା ମଧ୍ୟରେ ରହିଥିବାବେଳେ ପୁଲିସ୍‌ ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.