fbpx

E-reading room:ରାଜ୍ୟରେ ପ୍ରଥମଥର ପାଇଁ ଖୋଲିଲା ଡିଜିଟାଲ୍ ରିଡିଂ ରୁମ୍, ଅଡିଓ ବୁକ୍ ଶୁଣିପାରିବେ ଆଉ ପାଠ ମନେରଖିବେ ଛାତ୍ରୀ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ରାଜ୍ୟର ପ୍ରଥମ ଡିଜିଟାଲ୍ ରିଡିଂ ରୁମ୍ ‘ବିନୋଦିନୀ ମହାପାତ୍ର ରିଡିଂ କର୍ଣ୍ଣର’ ମଙ୍ଗଳବାର ଉଦ୍ଘାଟିତ ହୋଇଛି । ଏଥିରେ ‘ମୋ କଲେଜ ଅଭିଯାନ’ ଅଧ୍ୟକ୍ଷ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ରିଡିଂ ରୁମ୍ ର ଉଦ୍ଘାଟନ କରିଛନ୍ତି । ଏହି ରୁମ୍ ରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ‘ଜ’ ସଫ୍ଟୱେୟାର ଅଛି ।

ଏହି ସଫ୍ଟୱେୟାର ମାଧ୍ୟମରେ ସେମାନେ ଅଡିଓ ବୁକ୍ ବାହାର କରି ଶୁଣିପାରିବେ ଆଉ ପାଠ ମନେରଖିପାରିବେ । ଯାହାଦ୍ୱାରା ସେମାନେ ଶିକ୍ଷାଗ୍ରହଣ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେନି । ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରୀ ତଥା କୁଳସଚିବ ଶ୍ରୀମତି ଶ୍ୟାମଳି ମହାପାତ୍ର ନିଜ ମା’ ଶ୍ରୀମତି ବିନୋଦିନୀ ମହାପାତ୍ରଙ୍କ ନାମରେ ଏହି ରିଡିଂ ରୁମ୍ ତିଆରି କରିବାକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ । ସେ ଦେଇଥିବା ଅର୍ଥର ଦୁଇଗୁଣା ଅର୍ଥ ୨ ଲକ୍ଷ ଟଙ୍କା ‘ମୋ କଲେଜ’ ପକ୍ଷରୁ ବିଶ୍ୱବିଦ୍ୟାଳୟକୁ ଅନୁଦାନ ଦିଆଯାଇଥିଲା । ଉଭୟ ଅର୍ଥକୁ ମିଶାଇ ସମୁଦାୟ ୩ ଲକ୍ଷ ଟଙ୍କାରେ ଏହି ରିଡିଂ ରୁମ୍ କର୍ଣ୍ଣର ତିଆରି କରାଯାଇଛି ।

ଏହି ଇ-ରିଡିଂ ରୁମ୍ ବିଶ୍ୱବିଦ୍ୟାଳୟରେ ପଢୁଥିବା ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଠପଢ଼ାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଦାସନାୟକ ପ୍ରକାଶ କରିଛନ୍ତି । ପୁରାତନ ଛାତ୍ରୀ ତଥା କୁଳସଚିବ ଶ୍ୟାମଳି ମହାପାତ୍ର ନିଜ ମା’ଙ୍କ ନାମରେ ଏହି ରିଡିଂ ରୁମ୍ ତିଆରି କରିବାକୁ ଅର୍ଥ ଦାନ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଶ୍ରୀ ଦାସନାୟକ କହିଲେ, ରାଜ୍ୟରେ ଥିବା ପ୍ରତ୍ୟେକ କଲେଜ ଏବଂ ବିଶ୍ୱବିଦ୍ୟାଳୟର ସର୍ବଙ୍ଗୀନ ବିକାଶ କରିବାକୁ ‘ମୋ କଲେଜ ଅଭିଯାନ’ ପ୍ରୟାସ କରିଆସୁଛି । ଖାଲି ଏତିକି ନୁହେଁ ଛାତ୍ରଛାତ୍ରୀଙ୍କ ଜୀବନରେ ଏହି ଅଭିଯାନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି । ଏହା ସହ ସେ କହିଲେ, ଯଦି ଜଣଙ୍କ ଆତ୍ମବିଶ୍ୱାସ ଦୃଢ଼ ଅଛି ଏବଂ ଲକ୍ଷ୍ୟ ସ୍ଥିର ରହିଛି, ତେବେ ନିଶ୍ଚିତ ଭାବେ ଲକ୍ଷ୍ୟ ହାସଲ ହୋଇପାରିବ ।

ରାଜନୀତି ବିଜ୍ଞାନ ବିଭାଗ ଯୁକ୍ତତିନି ଶେଷ ବର୍ଷର ଦୃଷ୍ଟିବାଧିତ ଛାତ୍ରୀ ଝିଲ୍ଲୀ ପ୍ରଧାନ କହିଲେ, ଉନ୍ନତମାନର ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷାଗ୍ରହଣ କରିବା ଆମର ବହୁତ ବଡ଼ ସ୍ୱପ୍ନ ଥିଲା । ଆଉ ସେ ସ୍ୱପ୍ନ ଆଜି ପୂରଣ ହୋଇଛି । ଆଜି ଆମମାନଙ୍କ ପାଇଁ ବହୁତ ବଡ଼ ଦିନ । ଆମ ଭଳି ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷା ପାଇଁ ଡିଜିଟାଲ୍ ରିଡିଂ ରୁମ୍ କରାଯାଇଥିବାରୁ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ‘ମୋ କଲେଜ ଅଭିଯାନ’କୁ ବହୁତ ଧନ୍ୟବାଦ ଦେଇଥିଲେ  ।

Get real time updates directly on you device, subscribe now.