fbpx

ଲାଲୁଙ୍କ ଘରୁ ମିଳିଲା ୬୦୦ କୋଟିର ଅପରାଧ ଅର୍ଜିତ ସମ୍ପତ୍ତି: ବିଦେଶୀ ମୁଦ୍ରା, ଆପତ୍ତିଜନକ କାଗଜପତ୍ର, ନଗଦ କ୍ୟାଶ, ଅଳଙ୍କାର ଜବତ କଲା ED

ନୂଆଦିଲ୍ଲୀ: ଲ୍ୟାଣ୍ଡ ଫର ଜବ୍ ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ଆଜି ରେଡ୍ ମାରିଛି । ଗୋଇନ୍ଦା ସୂଚନା ଆଧାରରେ ଲାଲୁଙ୍କର ଦିଲ୍ଲୀ-ଏନସିଆର, ପାଟନା, ମୁମ୍ବାଇ, ରାଞ୍ଚି ସମେତ ୨୪ଟି ସ୍ଥାନରେ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ଏହି ଚଢ଼ାଉ ସମୟରେ ୧ କୋଟି ଟଙ୍କା ନଗଦ କ୍ୟାଶ, ୧୯୦୦ ଆମେରିକୀୟ ଡଲାର ସମେତ ବିଦେଶୀ ମୁଦ୍ରା, ୫୪୦ ଗ୍ରାମ ସୁନା ବୁଲିୟନ ଓ ୧.୫ କେଜିରୁ ଅଧିକ ସୁନା ଗହଣା ଜବତ ହୋଇଛି ।

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଓ ତାଙ୍କର ସମ୍ପର୍କୀୟଙ୍କ ଘରେ ଇଡି ରେଡ୍ ମାରିଥିଲା । ଚାକିରି ବଦଳରେ ଜମି ଘୋଟାଲାରେ ଲାଲୁଙ୍କ ନାମରେ ଅଭିଯୋଗ ରହିଛି । ଇଡି ଲାଲୁଙ୍କ ପରିବାର, ସମ୍ପର୍କୀୟ, ଦଳୀୟ ନେତାଙ୍କ ଘରେ ରେଡ୍ ମାରିଥିଲା । ତେବେ ଲାଲୁଙ୍କ ଦୁଇ ଝିଅଙ୍କ ଘରୁ ୭୦ ଲକ୍ଷ ଟଙ୍କାର କ୍ୟାଶ ଓ ଗହଣା ଜବତ କରିଥିଲା ଇଡି । ଏହି ରେଡ୍ ସମୟରେ ଲାଲୁଙ୍କ ପରିବାର ସଦସ୍ୟ, ଶିଶୁ ଓ ମହିଳାଙ୍କ ସହ ଭଦ୍ର ବ୍ୟବହାର କରାଯାଇଥିବା ଇଡି ପକ୍ଷରୁ ସଫେଇ ଦିଆଯାଇଛି ।

ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ କଲୋନୀ ସ୍ଥିତ ଡି-୧୦୮୮ରେ ଚାରି ମହଲା ବିଶିଷ୍ଟ ବଙ୍ଗଳା ମେସର୍ସ ଏବି ଏକ୍ସପୋର୍ଟସ ଲିମିଟେ ନାମରେ ପଞ୍ଜିକୃତ ହୋଇଛି । ଏହାର ମାଲିକାନା ଲାଲୁଙ୍କ ପୁତ୍ର ତେଜସ୍ୱୀ ଓ ପରିବାର ନିକଟରେ ରହିଛି । ମାତ୍ର ୪ ଲକ୍ଷ ଟଙ୍କାରେ ଏହି ସମ୍ପତ୍ତି ଅଧିଗ୍ରହଣ କରାଯାଇଥିବା ଦର୍ଶାଯାଇଥିବା ବେଳେ ତା’ର ବର୍ତ୍ତମାନର ମାର୍କେଟ ଭାଲ୍ୟୁ ପାଖାପାଖି ୧୫୦ କୋଟି ହେବ । କମ୍ପାନୀ ଦପ୍ତରକୁ ବାସଭବନ ଭାବେ ବ୍ୟବହାର କରାଯାଇଥିବା ଇଡି ଜାଣିପାରିଛି ।

ଇଡି ପରିବାର ସଦସ୍ୟ ଓ ବେନାମୀଙ୍କ ନାମରେ ରହିଥିବା ବିଭିନ୍ନ କାଗଜପତ୍ର, ସେଲ ଡିଡି, ଭୂମି ବ୍ୟାଙ୍କ ସମେତ ବୈଦ୍ୟୁତ ଡିଭାଇସ, ଆପତ୍ତିଜନକ ଡକ୍ୟୁମେଣ୍ଟ ଜବତ କରିଛି । ବର୍ତ୍ତମାନ ସୁଦ୍ଧା ୬୦୦ କୋଟି ଟଙ୍କାର ଅପରାଧ ଅର୍ଜିତ ଆୟର ପ୍ରମାଣ ମିଳିଛି । ସେଥିରେ ୩୫୦ କୋଟିର ଅଚଳ ସମ୍ପତ୍ତି ସାମିଲ ରହିଛି । ଏକାଧିକ ବେନାମୀଙ୍କ ମାଧ୍ୟମରେ ୨୫୦ କୋଟି ଟଙ୍କାର ନେଣଦେଣ ହୋଇଥିବା ଜଣାପଡ଼ିଛି । ଏହି ମାମଲାରେ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଲାଲୁ ଓ ପରିବାରକୁ ସମନ ଜାରି କରିଥିବା ବେଳେ ସେମାନେ ଆସନ୍ତା ୧୫ରେ ହାଜର ହେବେ ।

Get real time updates directly on you device, subscribe now.