fbpx

ଧରିତ୍ରୀ ବକ୍ଷରୁ ସମାପ୍ତ ହୋଇଯିବେ ପୁରୁଷ ଜାତି! ପୁରୁଷଙ୍କ Y ଗୁଣସୂତ୍ର କମିବାରେ ଲାଗିଛି- ରିସର୍ଚ୍ଚରୁ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଆଜିର ସମୟରେ ମଣିଷ ଜୀବନ କ୍ରମଶଃ ବିପଦ ଆଡ଼କୁ ମୁହାଁଇବାରେ ଲାଗିଛି । ଗୋଟିଏ ପଟେ ବିଜ୍ଞାନର ଅଗ୍ରଗତି ମଣିଷର ଲାଇଫଷ୍ଟାଇଲକୁ ଆରାମଦାୟକ କରିଦେଉଥିବା ବେଳେ ମଣିଷ ପ୍ରକୃତିକୁ ପରୋକ୍ଷରେ ନଷ୍ଟ କରିବାରେ ଲାଗିଛି । ଫଳରେ ଏହାର କୁପ୍ରଭାବରେ କେବଳ ମଣିଷ ନୁହେଁ, ଜୀବଜନ୍ତୁ, ବୃକ୍ଷଲତା, ଜଳ, ସ୍ଥଳ ନଷ୍ଟ ହେବାକୁ ବସିଛି । ତେବେ ଏହା ମଧ୍ୟରେ ପୁରୁଷ ଜାତିଙ୍କୁ ଏନେଇ ଏକ ଭୟଙ୍କର ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଛି ।

ମେଲବର୍ଣ୍ଣର ଏକ ସଂସ୍ଥା ତରଫରୁ କରାଯାଇଥିବା ରିସର୍ଚ୍ଚ ମୁତାବକ, ଆଗାମୀ ଦିନରେ ପୁରୁଷଙ୍କ ୱାଇ କ୍ରୋମୋଜୋମ (ଗୁଣସୂତ୍ର) ଲୋପ ପାଇବାର ସମ୍ଭାବନା ରହିଛି । ଦିନକୁ ଦିନ ଏହି ଗୁଣସୂତ୍ର ସଙ୍କୁଚିତ ହେବାରେ ଲାଗିଛି । ଯଦି ଧରିତ୍ରୀରୁ ପୁରୁଷ ସମାପ୍ତ ହୋଇଯିବେ, ତେବେ କ’ଣ ହେବ ଏକଥା କେହି ବୋଧହୁଏ କେବେ ବି ଭାବିନଥିବେ । ଜାପାନର ଏକ ଦ୍ୱୀପ ଓଶିମାରେ ରହୁଥିବା ଏକ କଣ୍ଟାଯୁକ୍ତ ମୂଷା ଉପରେ ଏହି ପରୀକ୍ଷା କରାଯାଇଥିଲା । ଏହି ମୂଷା ଓ ମଣିଷ ଶରୀରର ଗଠନ ଏକାପ୍ରକାରର । ଦୁହିଁଙ୍କ ଶରୀରରେ ଏକ୍ସ ଓ ୱାଇ ଗୁଣସୂତ୍ର ରହିଛି । ତେଣୁ ଏପରି ସ୍ଥଳେ ମୂଷାଠାରେ ଦେଖାଯାଉଥିବା ସଙ୍କେତ ପୁରୁଷଙ୍କଠାରୁ ଭିନ୍ନ ନୁହେଁ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି ।

ଜାପାନର ହୋକ୍କାଇଡୋ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ଅନୁଯାୟୀ, ସ୍ତନ୍ୟପାୟୀ ପ୍ରାଣୀଙ୍କଠାରେ ୱାଇ ଗୁଣସୂତ୍ର ଦ୍ରୁତ ଭାବେ ସଙ୍କୁଚିତ ହେବାରେ ଲାଗିଛି । ତେଣୁ ଏହା ଗାଏବ ହେବାର ସମ୍ଭାବନା ରହିଛି । ତେବେ ଦିନେ ନା ଦିନ ଆମର ୱାଇ ଗୁଣସୂତ୍ର ଚାଲିଯିବ ବୋଲି ୨୦ ବର୍ଷ ପୂର୍ବରୁ ମଧ୍ୟ ଜଣେ ବୈଜ୍ଞାନିକ ରିପୋର୍ଟ ଦେଇଥିଲେ । ସାଧାରଣ ଭାବେ ଗର୍ଭରେ ବଢ଼ୁଥିବା ଶିଶୁ ପୁଅ ହେବ କି ଝିଅ ତାହା ମାନବ ଶରୀରର ଗୁଣସୂତ୍ର ନିର୍ଦ୍ଧାରଣ କରିଥାଏ । ଏହି ଗୁଣସୂତ୍ର ଆମର ଡିଏନଏକୁ ଶିଶୁଙ୍କ ଶରୀରକୁ ପଠାଇଥାଏ । ଏକ୍ସ ଗୁଣସୂତ୍ରକୁ ଝିଅ ଓ ୱାଇ ଗୁଣସୂତ୍ରକୁ ପୁଅର ସୂଚକ ଭାବେ ଗ୍ରହଣ କରାଯାଇଥାଏ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ୱାଇ କ୍ରୋମୋଜୋମ ହ୍ରାସ ଉପରେ ଏକ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଥିଲା । ପ୍ରୋସିଡିଙ୍ଗସ ଅଫ୍ ଦି ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସ ପତ୍ରିକାରେ ଏ ବାବଦରେ ଏକ ରିସର୍ଚ୍ଚ ପେପର ପ୍ରକାଶିତ ହୋଇଥିଲା । ୧୬.୬ କୋଟି ବର୍ଷ ମଧ୍ୟରେ ୱାଇ କ୍ରୋମୋଜୋମ ୯୦୦ରୁ ହ୍ରାସ ଘଟି ୫୫କୁ ଆସିଯାଇଛି । ଏହାର ଅର୍ଥ ହେଉଛି ପ୍ରତି ୧୦ ଲକ୍ଷ ବର୍ଷରେ ମଣିଷର ୱାଇ କ୍ରୋମୋଜୋମ ୫ଟି ଜିନ୍ସ ହରାଉଛି । ଅର୍ଥାତ ଆସନ୍ତା ୧.୧୦ କୋଟି ବର୍ଷରେ ମଣିଷର ୱାଇ କ୍ରୋମୋଜୋମ ସମସ୍ତ ଜିନ୍ସକୁ ଖାଇଦେବ । ଏପରି କି ଏଭଳି ସମୟ ଆସିବ, ପୁରୁଷ ଆଉ ସୃଷ୍ଟି ହେବ ନାହିଁ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.